SBM-U ୨.୦ ଓ ଅମୃତ ୨.୦ ଯୋଜନାର ଶୁଭାରମ୍ଭ: ୩ବର୍ଷ ହେଲା ଶୀର୍ଷରେ ରହିଛି ଓଡ଼ିଶା

1 min read

ନୂଆଦିଲ୍ଲୀ: ସହରାଞ୍ଚଳକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଓ ଆବର୍ଜନାମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଟାର୍ଗେଟ୍‌ ହାସଲ କରିବା ପାଇଁ ୨୦୧୫ରୁ ଓଡ଼ିଶାରେ ଅମୃତ ମିଶନ୍ କାର୍ଯ୍ୟକାରୀ ହେଉଛି। ରାଜ୍ୟର ୯ଟି ସହରରେ ଏହି ଯୋଜନାରେ ପାନୀୟ ଜଳ ବ୍ୟବସ୍ଥାର ଉନ୍ନତି କରାଯାଉଛି । ଏଥିସହ ରାଜ୍ୟ ସରକାର ସହରାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ ୧୬ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଅମୃତ ମିଶନ୍ କାର୍ଯ୍ୟକାରିତାରେ ଓଡ଼ିଶା କ୍ରମାଗତ ଭାବେ ଗତ ୩ ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରୁଛି । ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିଜସ୍ୱ ବସୁଧା ଯୋଜନା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୭ଟି ସହରରେ ଶତ ପ୍ରତିଶତ ଘରକୁ ପାଇପ୍‌ ପାଣି ଯୋଗାଇ ଦିଆଯାଇଛି । ପାଇପ୍ ପାଣି ସହ ଆବର୍ଜନାମୁକ୍ତ ସହରାଞ୍ଚଳ ପାଇଁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ଏଥିରେ ତୃଣମୂଳସ୍ତରରେ ଜଳସାଥୀମାନେ ସହଯୋଗ କରିଛନ୍ତି । 5-T କାର୍ଯ୍ୟକ୍ରମରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍ ମିଶନ୍ ଆରମ୍ଭ ହୋଇଛି । ସାରା ଦେଶରେ ପୁରୀ ପ୍ରଥମ ସହର ଭାବେ ପ୍ଲାଷ୍ଟିକମୁକ୍ତ ଓ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ୍‌ କାର୍ଯ୍ୟକାରୀ କରି ଲଣ୍ଡନ, ଟୋକିଓ ଓ ୟୁକେ ସହ ସମାନ ହୋଇପାରିଛି । କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ୧୭ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟକାରୀ ହେଉଛି । ଆବର୍ଜନାମୁକ୍ତ ପାଇଁ ୫୫ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ହୋଇଛି । ଏଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ସହଭାଗୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏସବିଏମ୍‌ୟୁ-୨.୦ ଓ ଅମୃତ ୨.୦ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଓଡ଼ିଶାରେ ଏସବୁ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave a Reply