ପ୍ରବଳ ତାତି ପରେ ଆସୁଛି ବଡ଼ ବର୍ଷା; ଆସନ୍ତା ୫ରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ପ୍ରବଳ ତାତି ପରେ ଆସୁଛି ବଡ଼ ବର୍ଷା । ସେପ୍ଟମ୍ବର ୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ନେବ ଲଘୁଚାପର ରୂପ । ଯାହାର ପ୍ରଭାବରେ ଓଡ଼ିଶାରେ ପୁଣି ଆରମ୍ଭ ହେବ ବର୍ଷା । ଦୁର୍ବଳ ଥିବା ମୌସୁମୀର ନିମ୍ନ ଚାପରେଖା ଆସନ୍ତା ୫ ତାରିଖ ବେଳକୁ ସକ୍ରିୟ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସେପ୍ଟେମ୍ବର ମାସର ପ୍ରତି ସପ୍ତାହରେ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରାଯାଇଥିବା ଆଇଏମଡି ଡିଜି ମୃତଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେପଟେ ଦୁର୍ବଳ ମୌସୁମୀ ଓ ମେଘମୁକ୍ତ ଆକାଶ ପାଇଁ ରାଜ୍ୟରେ ବଢୁଛି ତାପମାତ୍ରା । ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଏବଂ ଶୁଖିଲା ପାଗ ପାଇଁ ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି