ଏବର୍ଷ ଆରମ୍ଭରୁ ଅସମ୍ଭାଳ ହେବ ତାତି, ଓଡ଼ିଶାରେ ଅଧିକ ଦିନ ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ଚଳିତ ବର୍ଷ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ । ଆରମ୍ଭରୁ ଅସମ୍ଭାଳ ହେବ ତାତି । ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ରହିବ ତାପମାତ୍ରା । ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକରେ ସ୍ବାଭାବିକ ଦିନ ଠାରୁ ଅଧିକ ଦିନ ହିଟ୍ଓ୍ବେଭ୍ ଲାଗି ରହିବ ବୋଲି କହିଛନ୍ତି ଆଇଏମଡି ଡିଜି । ସିଜିନାଲ ଫୋରକାଷ୍ଟରେ ମାର୍ଚ୍ଚ, ଏପ୍ରିଲ ଏବଂ ମେ ପାଇଁ ଜାରି ହୋଇଥିବା ଆକଳନ ଅନୁସାରେ ଚଳିତ ବର୍ଷ ଏଲନିନୋ ପାଇଁ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ ।

ମେ ମାସ ପର୍ଯ୍ୟନ୍ତ ଏଲନିନୋ ସକ୍ରିୟ ରହୁଥିବାରୁ ଗ୍ରୀଷ୍ମ ପ୍ରବାହ ପ୍ରଭାବ ଅଧିକ ରହିବ । ଏଥିପାଇଁ ଦେଶର ଅଧିକାଂଶ ରାଜ୍ୟକୁ ରେଡ୍, ଅରେଞ୍ଜ ମାର୍କ ଜାରି କରାଯାଇଥିବା ବେଳେ ଯେଉଁ ରାଜ୍ୟରେ କମ୍ ତାତି ରହିବ ସେ ରାଜ୍ୟକୁ ଗ୍ରୀନ୍ ଏବଂ ବ୍ଳୁ ମାର୍କରେ ମାର୍କିଂ କରାଯାଇଛି । ତେବେ ଓଡ଼ିଶାକୁ କେବଳ ରେଡ୍ ଏବଂ ଅରେଞ୍ଜ ମାର୍କରେ ରଖାଯାଇଛି । ମାର୍ଚ୍ଚ ମାସରୁ ହିଁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ । ବିଗତବର୍ଷ ଅପେକ୍ଷା ଚଳିତ ବର୍ଷ ଓଡ଼ିଶାରେ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଛି । ଏପ୍ରିଲ ଏବଂ ମେ ମାସରେ ସ୍ଥିତି ଅସମ୍ଭାଳ ହେବ ।

ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବି ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ତାତି । ଗ୍ରୀଷ୍ମ ଶେଷରେ କମିବ ଏଲ୍ନିନୋର ପ୍ରଭାବ । ମନସୁନ୍ ଆରମ୍ଭରୁ ନ୍ୟୁଟ୍ରାଲ କଣ୍ଡିସନ୍ ଦେଖାଦେବ ।  ତେଣୁ ଆସନ୍ତା ମନସୁନରେ ସ୍ବାଭାବିକ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ରାଜ୍ୟରେ ଜାରି ରହିଛି ଶୁଖିଲା ପାଗ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ଦୁଇଦିନ ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଆଦି ଜିଲ୍ଲାରେ ତାପମାତ୍ରା କମିବ । କିନ୍ତୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଖିଲା ପାଗ ପାଇଁ ତାପମାତ୍ରା ଅଧିକ ରହିବ ।