‘ଏଣିକି ହେବ ଦିନକୁ ୫୦ ହଜାର ଟେଷ୍ଟିଂ, ୭ ଦିନରେ ସଂକ୍ରମଣ ନିୟନ୍ତ୍ରଣକୁ ଫେରିବ’

ଭୁବନେଶ୍ୱର: କରୋନା ସଂକ୍ରମଣକୁ କାବୁ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୪୦ ହଜାର ଟେଷ୍ଟିଂ ହୋଇଛି । ସେହିଭଳି ଦିନକରେ କୋରନା ସଂକ୍ରମିତଙ୍କ ସଂଖ୍ୟା ୧୯୮୦ ।  ଆସନ୍ତା ୨୦ ତାରିଖ ସୁଦ୍ଧା ଦୈନିକ ଟେଷ୍ଟିଂ ୫୦ ହଜାର ହେବ ବୋଲି  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସେହିଭଳି ସପ୍ତାହ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କାବୁକୁ ଆସିବ ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ରାଜ୍ୟରେ ସଂକ୍ରମଣ ବଢୁଥିଲେ ମଧ୍ୟ ସୁସ୍ଥତା ହାର ବଢାଇବାରେ  ରାଜ୍ୟ ସରକାର ସକ୍ରିୟ ଭାବେ କାମ କରୁଛି । ପ୍ରତିଦିନ ୧୬ ଶହରୁ ୧୭ ଶହ ସଂକ୍ରମିତ ସୁସ୍ଥ ହୋଇ ଫେରୁଛନ୍ତୁ । ଏଣୁ ରାଜ୍ୟରେ ସମସ୍ୟା କମୁଥିବା ଶ୍ରୀ ମହାପାତ୍ର କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ଏକ ବ୍ୟବସ୍ଥିତ ଢଙ୍ଗରେ କରୋନା ମୁକାବିଲା କରି ଆସୁଛନ୍ତି । ସଂକ୍ରମିତ ଅଧିକା ଥିବା ଜିଲ୍ଲାକୁ ସରକାର ସବୁ ପ୍ରକାର ଫୋକସ୍ ଦେବା ସହ ଅତିରିକ୍ତ ସୁବିଧା ମଧ୍ୟ ଯୋଗାଇଛନ୍ତି । ଡାକ୍ତରୀ ସରଞ୍ଜାମଠାରୁ ଆରମ୍ଭ କରି ମାନବ ସମ୍ୱଳ ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ଯୋଗାଇଦେବାରେ ଗଞ୍ଜାମ ଓ ଖୋର୍ଦ୍ଧା ଭଳି ଜିଲ୍ଲାକୁ ପ୍ରାଥମିକତା ମିଳିଛି । ଗଞ୍ଜାମ ପାଇଁ ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀଙ୍କ ଟିମକୁ ନିଯୁକ୍ତ ମଧ୍ୟ କରାଯାଇଥିଲା । ଅଧିକ ବେଡ୍, ସରଞ୍ଜାମ, ସମ୍ପୂର୍ଣ୍ଣ ଲକଡାଉନ୍ ଓ ସଟଡାଉନର ବ୍ୟବସ୍ଥା ସହ ଜିଲ୍ଲାକୁ ସିଲ୍ କରି କୋଭିଡ୍ ସ୍ଥିତିରେ ସୁଧାର ଅଣା ଯାଇଥିଲା । ଗଞ୍ଜାମ ଏବେ ମଧ୍ୟ ସଂକ୍ରମଣ ତାଲିକାରେ ଶୀର୍ଷରେ ଥିଲେ ମଧ୍ୟ ସଂଖ୍ୟା ବଳରେ ପୂର୍ବ ଅପେକ୍ଷା ଦୁର୍ବଳ ହୋଇଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ସାମାନ୍ୟ ଅଣାୟତ୍ତ ଥିଲେ ମଧ୍ୟ ଭୁବନେଶ୍ୱର କ୍ରମଶଃ ଭଲ ପ୍ରଦର୍ଶନ କରୁଛି । ରାଜଧାନୀରେ ଏଇ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି ।

Leave a Reply