ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭାରତୀୟ ହକି ଦଳକୁ ଜାରି ରହିବ ଓଡ଼ିଶାର ସମର୍ଥନ, ୧୦ ବର୍ଷ ପାଇଁ ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର:ଆଉ ୧୦ ବର୍ଷ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା । ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ଏ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପ୍ରାୟୋଜକ ରହିଆସିଥିବା ଓଡ଼ିଶା ପୁଣି ଥରେ ସମୟସୀମା ବଢାଇଛି । ହକି ଖେଳ ପାଇଁ ହେଉଥିବା ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ତୁଲାଇବେ ରାଜ୍ୟ ସରକାର । ପ୍ରଥମ ୫ ବର୍ଷିଆ ଚୁକ୍ତି ୨୦୨୩ରେ ସରୁଥିବା ବେଳେ, ଆଗମୀ ଦଶବର୍ଷ ଅର୍ଥାତ ୨୦୩୩ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା ।

ସେପଟେ ଟୋକିଓରେ କୀର୍ତ୍ତିମାନ ରଚିଥିବା ବ୍ରିର୍ଲିଆଣ୍ଟ ଇନ୍ ବ୍ଲୁ ଙ୍କୁ ଆଜି ଭବ୍ୟ ସ୍ବାଗତ କରିଥିଲା ରାଜ୍ୟ । ଲୋକସେବା ଭବନରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ଅବସରରେ ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ସହ ଉଭୟ ଟିମର ଖେଳାଳିଙ୍କୁ ୧୦ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଚମତ୍କାର ପ୍ରଦର୍ଶନ ପାଇଁ ମହିଳା ହକି ଟିମର ଗୋଲକିପର ସବିତା ପୁନିଆଙ୍କୁ ୫ ଲକ୍ଷ, ବେଷ୍ଟ ଡିଫେଣ୍ଡର ପାଇଁ ଦୀପଗ୍ରେସ ଏକ୍କାଙ୍କୁ ୫ ଲକ୍ଷ, ସୁସିଲା ଚାନୁଙ୍କୁ ୫ ଲକ୍ଷ, ଗୋଲ ଆସିଷ୍ଟ ପାଇଁ ରାଣୀ ରାମପାଲ ଓ ନବନିତ କୌରଙ୍କୁ ୫ ଲକ୍ଷ, ଗୁରଜିତ କୌର ଏବଂ ବନ୍ଦନାଙ୍କୁ ସର୍ବାଧିକ ଗୋଲ ପାଇଁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।

ସେହିପରି ପୁରୁଷ ହକି ଟିମରେ ଅଧିକ ଗୋଲ ଅଟକାଇଥିବାରୁ ଗୋଲ୍ କିପର ଶ୍ରୀଜେସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଥିବାବେଳେ ଡିଫେନ୍ସ ପାଇଁ ରୂପିନ୍ଦର ପାଲଙ୍କୁ ୫ ଲକ୍ଷ, ହରମନପ୍ରୀତ ସିଂହଙ୍କୁ ସର୍ବାଧିକ ଗୋଲ ଓ ମିଡ୍ ଫିଲଡ଼ରେ ଭଲ ପ୍ରଦର୍ଶନ ପାଇଁ ୧୦ ଲକ୍ଷ ଓ ମିଡ ଫିଲ୍ଡରେ ଭଲ ପ୍ରଦର୍ଶନ ପାଇଁ ଅମିତ ରୋହି ଦାସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି ।

ଖୁବଶୀଘ୍ର ଓଡ଼ିଶାରେ ପୋଲିସରେ ଡିଏସପି ଭାବେ ଯୋଗଦେବେ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା । ସେପଟେ ଅଭୂତପୂର୍ବ ସ୍ବାଗତରେ ଅଭିଭୂତ ହେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ଖେଳାଳି । କହିଛନ୍ତି ଓଡ଼ିଶାବାସୀଙ୍କ ଭଲ ପାଇବା ଆଉ କେଉଁଠି ବି ମିଳେନି । ସମସ୍ତ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆମେ ଓଡ଼ିଶାରେ ଖେଳିଛୁ । ଗତ କିଛି ବର୍ଷ ହେଲା ଓଡ଼ିଶା ହକି ଇଣ୍ଡିଆର ମେରୁଦଣ୍ଡ ହୋଇ ରହିଛି । ଆଜି ଯଦି ଟୋକିଓରେ ଇଣ୍ଡିଆନ ହକି ଟିମ ମେଡାଲ ପାଇଛି କିମ୍ବା ମହିଳା ଟିମ ଭଲ ପ୍ରଦର୍ଶନ କରିଛି ତାର ଶ୍ରେୟ ଓଡ଼ିଶା ସରକାରଙ୍କ ବୋଲି କହିଥିଲେ ଖେଳାଳିମାନେ ।

Leave a Reply