ବସ୍ତି ମୁକ୍ତ ହେବ ଓଡ଼ିଶା: ୭୦ ହଜାର ପରିବାରକୁ ମିଳିବ ସ୍ଥାୟୀ ଜମି ପଟ୍ଟା

ଭୁବନେଶ୍ୱର: ରାଜ୍ୟରେ ଆଉ ରହିବନି ବସ୍ତି  । ଗଠନ ହେବ ବସ୍ତିମୁକ୍ତ ଓଡ଼ିଶା । ୨୦୨୩ ସୁଦ୍ଧା ସମସ୍ତ ବସ୍ତିରେ ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇଦେଇ ସବୁଜ ସୁନ୍ଦର କରାଯିବ  । ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ଯୋଗାଇବା ସହ ମିଳିବ ମାଲିକାନା ସ୍ୱତ୍ତ୍ୱ । ନଗର ଉନ୍ନୟନ ବିଭାଗ ପାଇଁ ବଜେଟରେ ହୋଇଥିବା ବ୍ୟୟବରାଦର ୨୫ ପ୍ରତିଶତ ବସ୍ତିରେ ଖର୍ଚ୍ଚ କରାଯିବ । ସରକାରଙ୍କ ଏହି ଯୋଜନାକୁ ପୌର ନିର୍ବାଚନ ସହ ବିରୋଧୀ ଯୋଡ଼ିଥିବା ବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ବସ୍ତିବାସିନ୍ଦାଙ୍କ ବିକାଶ ଚାହୁଁନାହାନ୍ତି ବିରୋଧୀ ।

ରାଜ୍ୟ ସରକାରଙ୍କ ବସ୍ତି ପାଇଁ ବଡ଼ ଯୋଜନା  । ହଟିବ ବିପର୍ଯ୍ୟସ୍ତ ପରିମଳର ଚିତ୍ର  । ବିଜୁଳି, ପାଣିର ରହିବନି ଅଭାବ  । ଚକାଚକ ରାସ୍ତା ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନତାରେ ବ୍ୟାପକ ସୁଧାର  । ମହାନଗର ନିଗମ, ପୌରାଂଚଳ ଏବଂ ବିଜ୍ଞାପିତ ଅଂଚଳ ପରିଷଦରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ଏପରି ଯୋଜନା କରିଛନ୍ତି ରାଜ୍ୟ ସରକାର  । ନଗର ଉନ୍ନୟନ ବିଭାଗରେ ବ୍ୟୟ ବରାଦ ହେଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତିରେ ଖର୍ଚ୍ଚ ହେବ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୦୨୩ ସୁଦ୍ଧା ‘ବସ୍ତି’ ଶବ୍ଦ ହଟାଇବାକୁ ସରକାରଙ୍କ ଏ ହେଉଛି ଅଭିନବ ପ୍ରୟାସ  । ଅନ୍ୟ ଜନବସତି ଭଳି ବସ୍ତିରେ ବି ମିଳିବ ସବୁ ପ୍ରକାର ମୌଳିକ ସୁବିଧା । ରାଜ୍ୟର ୨୯୯୨ଟି ବସ୍ତିରେ ରହୁଥିବା ପ୍ରାୟ ୭୦ହଜାର ପରିବାରଙ୍କୁ ମିଳିବ ସ୍ଥାୟୀ ଜମି ପଟ୍ଟା ଓ ମାଲିକାନା ସ୍ବତ୍ତ୍ବ  । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ହେଲେ ସରକାରଙ୍କ ଏପରି ପଦକ୍ଷେପକୁ ବିରୋଧୀ ଭିନ୍ନ ନଜରରେ ଦେଖିଛନ୍ତି । ଏପରି ଏକ ଅଭିନବ ଯୋଜନାକୁ ଆଗାମୀ ପୌର ନିର୍ବାଚନ ସହ ଯୋଡ଼ିଛନ୍ତି । ନିର୍ବାଚନ ବୈତରଣୀ ପାର ହେବାକୁ ସରକାର ଏପରି କହୁଛନ୍ତି ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ହେଲେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ବସ୍ତିବାସିନ୍ଦାଙ୍କ ବିକାଶ ବିରୋଧୀ ଚାହୁଁନାହାନ୍ତି । ସରକାର ଭଲ କାମ କଲେ ଅସହିଷ୍ଣୁ ହୋଇ ବିରୋଧୀ ଏଭଳି ଅଭିଯୋଗ କରୁଛନ୍ତି ବୋଲି ମନ୍ତ୍ରୀ ଜବାବ ରଖିଛନ୍ତି । ଭୁବନେଶ୍ୱର, କଟକ ଭଳି ରାଜ୍ୟର ମହାନଗର ନିଗମ ଓ ପୌରାଂଚଳରେ ବସ୍ତିବାସିନ୍ଦାଙ୍କ ପାଇଁ ବହୁତଳ ଅଟ୍ଟାଳିକା ନିର୍ମାଣ କରାଯାଇ ହସ୍ତାନ୍ତର ହେଲାଣି । ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ସାଙ୍ଗକୁ ବସ୍ତି ଉଚ୍ଛେଦର ଭୟ ହଟାଇ ସ୍ଥାୟୀ ବାସଗୃହର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଆରା ସଚେତନତା

Leave a Reply