ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା, କଟକରେ ଜଳବନ୍ଦୀ ସ୍ଥିତି

ଭୁବନେଶ୍ୱର: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ମାଧ୍ୟମ ଧରଣର ବର୍ଷା ହେବ । ବିଭିନ୍ନ ଜିଲ୍ଲାରେ କୁଆପଥର ଜନିତ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ରାୟଗଡା ଓ ମାଲାକନଗିରି ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ଯ ହୋଇପାରେ । ଏହାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି କେନ୍ଦ୍ର ।
ସେପଟେ ଉପକୂଳ ବର୍ତ୍ତୀ ଜିଲ୍ଲା ମାନଙ୍କରେ ବି ପ୍ରଭାବ ପଡ଼ିବ। ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାକୁ ଥିବାବେଳେ କେନ୍ଦ୍ରାପଡା, ଜଗତ୍ସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ସୁନ୍ଦରଗଡ଼, ବରଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ କଟକରେ ବେହାଲା କଲା କାଳବୈଶାଖୀ। ପ୍ରବଳ ବର୍ଷା ପରେ କଟକ ସହରର ବିଭିନ୍ନ ଅଂଚଳରେ ସ୍ଥିତି ସଂଗୀନ ହୋଇଛି। ଏବେ ବି ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ବିଶେଷ କରି ବକ୍ସ ଡ୍ରେନକୁ ସଂଯୋଗ କରୁଥିବା ଫ୍ରେଣ୍ଡସ କଲୋନୀ ରାସ୍ତା, କେଶରପୁର ରାସ୍ତା, ସେମିନାରୀ ଛକ ଅଂଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ହୋଇପାରୁନି ବର୍ଷା ଜଳ ନିଷ୍କାସନ। ବଡ ବଡ ଡ୍ରେନ ଜାମ ଥିବାରୁ ଏପରି ହୋଇଥିବା ଅଭିଯୋଗ ହୋଇଛି।