ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର : ଅବପାତ ପ୍ରଭାବରେ ରାଜ୍ଯରେ ଜାରି ରହିଛି ପ୍ରବଳ ବର୍ଷା । ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା କେନ୍ଦ୍ରୀଭୂତ ହୋଇଛି । ଏହା ଆଜି ପୁରୀ ନିକଟରେ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏଥିପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ରେଡ ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିଥିବାରୁ ୨୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପବନର ବେଗ ପ୍ରାୟ ୫୦ କିମି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅପେକ୍ଷାକୃତ କମ ରହିପାରେ । ପ୍ରବଳ ବର୍ଷା ଯୋଗୁଁ କୃତ୍ରିମ ବନ୍ଯା ସ୍ଥିତି ସୃଷ୍ଟି ହୋଇଥିବା ଅଞ୍ଚଳ ଉପରେ ନଜର ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବିଶେଷ କରି ମାଲକାନଗିରି ଅଞ୍ଚଳରେ ରାସ୍ତା ବୁଡ଼ି ଯାତାୟାତ ପ୍ରଭାବିତ ହୋଇଥିବାରୁ ସେଠାରେ ପୋଲିସ ଟିମ ସଜାଗ ରହି ପରସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ଆବଶ୍ଯକ ସ୍ଥଳରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।