୧୩୦ ବର୍ଷ ପରେ ଡିସେମ୍ବରର ଜାଡ଼ରେ ବାତ୍ୟା ମାଡ଼

1 min read
Odisha To Face Cyclone In December Month Of Winter After 130 Years

ଭୁବନେଶ୍ୱର: ପ୍ରତିବର୍ଷ ବାତ୍ୟା ଦେଖୁଛି ଓଡ଼ିଶା । କେବେ ମେ’ ମାସରେ ତ ଆଉ କେବେ ଅକ୍ଟୋବର ଓ ନଭେମ୍ବରରେ ସାମୁଦ୍ରିକ ଝଡ଼ ତାଣ୍ଡବ ରଚୁଛି । ଏଥର କିନ୍ତୁ ୧୩୦ ବର୍ଷ ପରେ ଡିସେମ୍ବରରେ ଓଡ଼ିଶା ଉପକୂଳରେ ମାଡ଼ ହେବାକୁ ଯାଉଛି ବାତ୍ୟା । ତେବେ, ଶୀତ ଦିନେ କାହିଁକି ଆସୁଛି ବାତ୍ୟା ? ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ୧୮୭୭-୨୦୦୫ ମସିହା ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସଂଖ୍ୟା ବଢ଼ିଛି । ମୁଖ୍ୟତଃ ଏସବୁ ବାତ୍ୟା ମେ ମାସରୁ ନେଇ ନଭେମ୍ବର ମାସ ମଧ୍ୟରେ ଆସିଥାଏ । ଆଉ ନଭେମ୍ବରରେ ଆସୁଥିବା ବାତ୍ୟାର ପ୍ରଭାବ ଅଧିକ ।

ଚଳିତଥର ନଭେମ୍ବର ନୁହେଁ ଡିସେମ୍ବର ସୃଷ୍ଟି ହୋଇଛି ବାତ୍ୟା । ପାଣିପାଗ ବିଭାଗ ଆକଳନ ଅନୁସାରେ, ଏହା ଡିସେମ୍ବର ୪ ତାରିଖରେ ଉତ୍ତର ଆନ୍ଧ୍ରଉପକୂଳ ଓ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ଶୀତ ଦିନେ ଆସୁଥିବା ବାତ୍ୟା ହେବ କି ଅଧିକ ପ୍ରଳୟଙ୍କାରୀ ? ଏନେଇ ନାନା ଆଶଙ୍କା ପ୍ରକାଶ ପାଇଛି । ତଥ୍ୟ କହୁଛି ବଙ୍ଗୋପସାଗରରେ ବର୍ଷକୁ ୫ରୁ ୬ଟି ବାତ୍ୟା ଆସିଥାଏ । ଅଧିକାଂଶ ବାତ୍ୟା ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଅକ୍ଟୋବର ଓ ନଭେମ୍ବରରେ ହୋଇଥାଏ ।

Odisha To Face Cyclone In December Month Of Winter After 130 Years

ତେବେ ୧୮୯୧ରୁ ୨୦୨୦ ମସିହା ମଧ୍ୟରେ ଡିସେମ୍ବର ମାସରେ ଗୋଟିଏ ମଧ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁନି । ୧୩୦ ବର୍ଷ ପରେ ପ୍ରଥମ ଥର ଡିସେମ୍ବରରେ ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ । ପୂର୍ବରୁ ୧୯୯୯ ମହାବାତ୍ୟା ସହ ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡହୁଡ୍, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ ପରେ ଓଡ଼ିଶା ସାମ୍ନା କରିବାକୁ ଯାଉଛି ବାତ୍ୟା ‘ଜୱାଦ’ ।

୧୩୦ ବର୍ଷ ମଧ୍ୟରେ ଡିସେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ଆସିନଥିବା ବେଳେ ଭାରତ ମହାସାଗର ଡିସେମ୍ବରରେ ଅନେକ ବାତ୍ୟା ଦେଖିଛି । ୧୯୬୪ ମସିହା ଡିସେମ୍ବରରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆସିଥିବା ବାତ୍ୟା ରଚିଥିଲା ତାଣ୍ଡବ । ଘଣ୍ଟାପ୍ରତି ୨୮୦ କିଲୋମିଟର ବେଗରେ ପବନ ବହିବା ସହ ହୋଇଥିଲା ତୁହାକୁ ତୁହା ବର୍ଷା । ସମୁଦ୍ରରେ ଆସିଥିଲା ଉଚ୍ଚ ଜଆର । ଡିସେମ୍ବର ୨୩ ବାତ୍ୟା ରାତିରେ ପାମ୍ବନରୁ-ଧନୁଷଖୋଡି ଯାଉଥିବା ଟ୍ରେନ୍ ବାତ୍ୟା ପ୍ରଭାବରେ ସମୁଦ୍ରରେ ଆସିଥିବା ଉଚ୍ଚ ଜୁଆରରେ ଭାସି ଯାଇଥିଲା । ଟ୍ରେନରେ ଥିବା ୧୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ଡିସେମ୍ବରରେ ଆସୁଛି ବାତ୍ୟା, ଯାହା ସମସ୍ତଙ୍କ ମନରେ ସୃଷ୍ଟି କରିଛି ଭୟ ।

Leave a Reply