spot_img

Latest Posts

ଆସନ୍ତା ୫ ଦିନ ତାତିରୁ ମିଳିବନି ତ୍ରାହି, ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ

ଭୁବନେଶ୍ବର: ସୂର୍ଯ୍ୟ ଉଇଁଲେ ବାହାରକୁ ବାହାରିବାକୁ ଡର ଲାଗୁଛି । ଉପାନ୍ତରୁ ଉପକୂଳ ସବୁଠି ତାତିର ରାଜୁତି । ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମପ୍ରବାହ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।

କାଲିଠୁ ୧୫ ତାରିଖ ଯାଏ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି । କାଲି ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ । ୧୪ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ସମ୍ବଲପୁର । ୧୫ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼ , ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଏବଂ ଝାରସୁଗୁଡା ଜିଲ୍ଲାକୁ ହିଟଓ୍ବେଭ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଶୁଷ୍କ ବାୟୁ ପ୍ରବାହ ବଢିଛି।

ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ କମିବା ସହ ସୂର୍ଯ୍ୟଙ୍କ ତେଜ କିରଣ ପାଇଁ ତାତି ବଢୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।ସେପଟେ ସବୁ ଜିଲ୍ଲାପାଳଙ୍କୁ ହିଟ୍ ଓ୍ବେଭ ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି SRC ।

ଅଂଶୁଘାତରେ କାହାର ମୃତ୍ୟୁ ହୋଇଥିଲେ ତତ୍କାଳ ତଦନ୍ତ କରାଯିବ । ୨ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ଅଂଶୁଘାତ ଜନିତ ମୃତ୍ୟୁ ପ୍ରମାଣିତ ହେଲେ ତୁରନ୍ତ କ୍ଷତିପୂରଣ ଦିଆଯିବ । ଶ୍ରମିକ ମାନେ ଖରା ସମୟରେ କାମ ନକରିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ ଯାଉଥିଲେ ପାଣି ବୋତଲ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

Latest Posts

Don't Miss