ଶିକ୍ଷୟିତ୍ରୀଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ବର: ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗତସିଂହପୁର ଜିଲ୍ଲା ରାହାମା ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରମିଳା ସାହୁଙ୍କୁ ମିଳିଛି ଜାତୀୟ ଆଇସିଟି ପୁରସ୍କାର । ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରର ନାଳନ୍ଦା ଅଡିଟୋରିୟମରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି ପୁରସ୍କାର ପ୍ରଦାନ କରିଥିଲେ । ୨୦୧୮ ମସିହା ପାଇଁ ସେ ସର୍ବଭାରତୀୟସ୍ତରରେ ଜବାହର ନବୋଦୟ ସମିତି ପକ୍ଷରୁ ଏକମାତ୍ର ଶିକ୍ଷକ ଭାବେ ଏ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ତାଙ୍କର ଏ ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ଛୁଟିଛି ଅଭିନନ୍ଦନର ସୁଅ ।

ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଶ୍ରେଣୀକକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି କିଭଳି ଛାତ୍ରଛାତ୍ରୀଙ୍କୁ ଆହୁରି ବୋଧଗମ୍ୟ ଭାବେ ଶିକ୍ଷାଦାନ କରିହେବ ସେ ଦିଗରେ ଶ୍ରୀମତୀ ସାହୁଙ୍କ ନିଷ୍ଠା ଓ ପରିଶ୍ରମକୁ ବିଚାରକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଏନସିଇଆରଟି ପକ୍ଷରୁ ତାଙ୍କୁ ଏ ପୁରସ୍କାର ପ୍ରଦାନ କରାଯାଇଛି । ମହାମାରୀ କରୋନା କାଳରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ସରଳ ପ୍ରଣାଳୀରେ ପାଠପଢ଼ାକୁ ସେ ସମ୍ଭବ କରାଇପାରିଥିଲେ । ନୂଆ ଜ୍ଞାନ କୌଶଳରେ କିଭଳି ପିଲାମାନଙ୍କୁ ଭିନ୍ନ ଢଙ୍ଗରେ ଶିକ୍ଷାଦାନ କରି ହେବ ସେଥିପ୍ରତି ସେ ଯତ୍ନବାନ । ଏ ପୁରସ୍କାର ତାଙ୍କୁ ଉତ୍ସାହ ଓ ପ୍ରେରଣା ଦେଇଛି । ଏହାସହ ତାଙ୍କ ଦାୟିତ୍ବ ମଧ୍ୟ ଅଧିକ ବଢ଼ିଛି । ସମର୍ପଣ ଭାବନା ନେଇ ସେ ଶିକ୍ଷାଦାନରେ ଅଧିକ ବ୍ରତୀ ହେବେ ବୋଲି ପ୍ରମିଳା କହିଛନ୍ତି । ଜାତୀୟସ୍ତରରେ ତାଙ୍କର ଏ ସଫଳତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ । ଏଥିପାଇଁ ସେ ନବୋଦୟ ସମିତି, ସ୍କୁଲର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସମସ୍ତ ସହଯୋଗୀ, ସ୍ବାମୀ ଆଇନଷ୍ଟାଇନ ଏକାଡେମୀ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଅଧ୍ୟକ୍ଷ ଡ. ଶୁଭେନ୍ଦୁ ସାହୁ, ଶ୍ବଶୁର ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଉଦୟନାଥ ସାହୁ, ପିତା ଗୌରଚରଣ ସାହୁ ଓ ପରିବାର ସଦସ୍ୟଙ୍କ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି ।

1 thought on “ଶିକ୍ଷୟିତ୍ରୀଙ୍କୁ ଜାତୀୟ ପୁରସ୍କାର

Leave a Reply