୨୦୨୫ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତ ହେବ ଯକ୍ଷ୍ମା ମୁକ୍ତ

ଭୁବନେଶ୍ୱର: ଯକ୍ଷ୍ମା ମୁକ୍ତ ହେବ ପଞ୍ଚାୟତ। ୨୦୨୫ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟରେ ସରକାର। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଦୁଇଟି ବିଭାଗର ସଚିବ। ନିରନ୍ତର ବିକାଶ ଲକ୍ଷ୍ୟର ଅଂଶବିଶେଷ ଯକ୍ଷ୍ମାମୁକ୍ତ ଓଡ଼ିଶା ଦିଗରେ ସରକାରଙ୍କ ପ୍ରୟାସ। ୧୦ବର୍ଷରେ ଓଡ଼ିଶା ସାରା ଦେଶରେ ୧୨ଟି ରାଙ୍କ୍ ଉପରକୁ ଉଠି ଏବେ ୨ ନମ୍ବରରେ ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଉଦ୍ୟମ ଆରମ୍ଭ ହୋଇଛି।
ଟିବି ମୁକ୍ତ ପଞ୍ଚାୟତର ଉଦ୍ଦେଶ୍ୟ ଯକ୍ଷ୍ମା ସହିତ ଜଡିତ ସମସ୍ୟାକୁ ହୃଦୟଙ୍ଗମ କରିବା । ପଞ୍ଚାୟତଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ଏବଂ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରିବା। ଜିଲ୍ଲା, ବ୍ଲକ, ପଞ୍ଚାୟତ ସ୍ତରରେ ବୈଠକ କରି ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବା ସହ ରୋଗ ନିରାକରଣ ପାଇଁ ପଦକ୍ଷେପ ବାବଦରେ ଆଲୋଚନା କରି ଯକ୍ଷ୍ମାମୁକ୍ତ ପଞ୍ଚାୟତ ପ୍ରମାଣପତ୍ର ହାସଲ କରିବା ଉପରେ ଗୁରୁତ୍ବ ଦିଆଯାଇଛି।
ବର୍ଷରେ ଦୁଇ ଥର ପ୍ରତି ପଞ୍ଚାୟତରେ ସଚେତନତା ଅଭିଯାନ କରାଯିବ। ପ୍ରତି ହଜାରେ ବ୍ୟକ୍ତିଙ୍କ ମଧ୍ୟରୁ ୩୦ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଗୋଟିଏ ବର୍ଷ ଟିବି ମୁକ୍ତ କାର୍ଯ୍ୟକଳାପଗୁଡିକ ପଞ୍ଚାୟତ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗ୍ରାମସ୍ତରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯିବ। ସରପଞ୍ଚ ଟିବି ମୁକ୍ତ ପଞ୍ଚାୟତର ଦାବି ଉପସ୍ଥାପନ କରିବା ପରେ ସ୍ବାସ୍ଥ୍ୟ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମିଳିତ ଭାବେ ଯାଞ୍ଚ କରାଯାଇ ଜିଲ୍ଲା ଟିବି ଅଧିକାରୀଙ୍କୁ ଦିଆଯିବ। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ବରେ ଗଠିତ ଜିଲ୍ଲାସ୍ତରୀୟ କମିଟି ଏହା ଉପରେ ନିଷ୍ପତି ନେବେ। ସବୁ ମାନଦଣ୍ଡ ପୂରଣ ହେବା ପରେ ଜିଲ୍ଲାପାଳ ଟିବି ମୁକ୍ତ ପଞ୍ଚାୟତ ଘୋଷଣା କରିବେ।