ରାଜ୍ୟରେ ଦୈନିକ ହେବ ୫୦ ହଜାର କରୋନା ଟେଷ୍ଟ, ଟିକା ଅଭାବରୁ ୮୦୦ କେନ୍ଦ୍ରରେ ଟିକାକରଣ ବନ୍ଦ

Odisha Targets Daily 50K Covid Test Amid Rising Covid infection

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ପାର୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇନାହିଁ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି । ଦେଶରେ ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ତ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି । ଏହି ନୂଆ ଭୁତାଣୁକୁ କୋଭିଡ ଟିକା ରୋକିବ କି ନାହିଁ ତାର ଅନୁଧ୍ୟାନ ଚାଲିଛି ।

ଦ୍ୱିତୀୟ ଡୋଜ୍ ନେବା ପରେ ସଂକ୍ରମଣ କମ୍ ହେବା ଆଶଙ୍କା । ତେଣୁ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ମେ’ ୧ରୁ ରାଜ୍ୟ ସରକାର ଘରୋଇ ହସ୍ପିଟାଲକୁ ଟିକା ଦେବେ ନାହିଁ । ଟିକା ଉତ୍ପାଦନ ସଂସ୍ଥା ଠାରୁ ଘରୋଇ ହସ୍ପିଟାଲ ଭ୍ୟାକ୍ସିନ୍ ଡୋଜ୍ ପିଛା ୬ ଶହ ଟଙ୍କାରେ କିଣିବେ । ଦେଶରେ ୨୨ ଏପ୍ରିଲ୍ ସୁଦ୍ଧା ୧୩ କୋଟିରୁ ଅଧିକ ଟିକା ଦିଆଯାଇଥିବା ବେଳେ ଓଡ଼ିଶାରେ ୫୪ ଲକ୍ଷ ଟିକାକରଣ ହୋଇଛି । ଟିକା ନେଲେ ମୃତ୍ୟୁ ହାର କମ ରହିବ, ଅଧିକ ସଂକ୍ରମଣ ହେବ ନାହିଁ ।

ଓଡ଼ିଶାରେ ଟୀକାର ପ୍ରଥମ ଡୋଜ ନେଇ ପାଖାପାଖି ୫୦ ଜଣ ସଂକ୍ରମଣ ହୋଇଛନ୍ତି । ଦ୍ୱିତୀୟ ଡୋଜ୍ ନେଲେ ସଂକ୍ରମଣ ହେବ ନାହିଁ । ରାଜ୍ୟରେ ଶନିବାର ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ସୋମବାର ଠାରୁ ଶୁକ୍ରବାର ଟିକାକରଣ ଚାଲୁ ରହିବ । ଟିକା ଅଭାବରୁ ୮୦୦ ସେଣ୍ଟର ବନ୍ଦ ଅଛି । ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କ ଟିକା ନେଇପାରିବେ । ଏନେଇ ଭାରତ ସରକାର ଗାଇଡଲାଇନ୍ ଦେଲେ ସେହି ଅନୁସାରେ ଟିକାକରଣ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ମାମଲା ବଢ଼ୁଥିବାରୁ ଟେଷ୍ଟିଂ ବଢ଼ାଇବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛି । ରାଜ୍ୟରେ ଦୈନିକ ୫୦ ହଜାର କରୋନା ଟେଷ୍ଟ କରାଯିବ । ଏବେ ଦୈନିକ ୪୩ ହଜାର ଟେଷ୍ଟିଂ କରାଯାଉଛି । ବେସରକାରୀ ହସ୍ପିଟାଲରେ ୫୦ ପ୍ରତିଶତ ବେଡ୍ ସଂରକ୍ଷଣ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Leave a Reply