ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ସାରା ଦେଶରେ ବେଶ୍ ବଦନାମ ହୋଇଥିବା ବେଳେ ଏବେ ଦିଲ୍ଲୀକୁ ପଛରେ ପକାଇ ଦେଇଛି ଓଡ଼ିଶା। ରାଜ୍ୟର ୭ଟି ସହର ମଧ୍ୟ ଦିଲ୍ଲୀକୁ ପଛରେ ପକାଇ ଦେଇଛନ୍ତି। ଭୁବନେଶ୍ୱର, କଟକ, ବାଲେଶ୍ୱର, ବାରିପଦା, ଅନୁଗୁଳ, ତାଳଚେର ଓ କେନ୍ଦୁଝର ବାୟୁ ସୂଚକାରେ ନିୟମିତ ଭାବେ 300 ପାର୍ କରୁଛନ୍ତି। ଯାହା ଅତି ଖରାପ। ରାସ୍ତା କାମ, ନିର୍ମାଣ, ଶିଳ୍ପ ସଂସ୍ଥାରୁ ନିର୍ଗତ ଧୂଆଁ ଏହାର ପ୍ରମୁଖ କାରଣ। ଶୀତ ଦିନ ଯୋଗୁଁ ଧୂଳି ତଳେ ରହୁଥିବାରୁ ନିଷ୍କାସନ ହୋଇ ପାରୁ ନଥିବାରୁ ମଧ୍ୟ ପ୍ରଦୂଷଣ ହେଉଛି। ଖରାପ ରାସ୍ତା, ଟ୍ରାଫିକ ଭିଡ଼ ଓ ଗାଡି ମୋଟରରୁ ନିର୍ଗତ ଧୂଆଁ ବି ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଜଳ ସିଞ୍ଚନ, ମେକାନିକାଲ ସୁଇପର ପରି ବ୍ୟବସ୍ଥା କରିବାକୁ ବାରମ୍ବାର ପୌର ସଂସ୍ଥା ଗୁଡିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖୁଛି। ମେକାନିକାଲ ସୁଇପର ଫ୍ରିକୁଏନସି ବୃଦ୍ଧି କରିବାକୁ ବି କୁହାଯାଇଛି।
ତେବେ ପ୍ରଦୂଷଣରେ ଦିଲ୍ଲୀକୁ ଭୁବନେଶ୍ଵର ଟକ୍କର ଦେବା ପରେ ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, ଭୁବନେଶ୍ୱରର AQI ଦିଲ୍ଲୀ ସହିତ ସମାନ ହେଲାଣି। ପ୍ରଦୂଷଣର ମାତ୍ରା ବେଶ୍ ବୃଦ୍ଧି ହୋଇ। ସହର ପରିମଳ ବ୍ୟବସ୍ଥା ମଧ୍ୟ ପ୍ରଦୂଷଣ ବଢ଼ାଇବାରେ ସହାୟକ ହେଉଛି। ଏଣୁ ସହର କିଭଳି ସ୍ୱଚ୍ଛ ରହିବ, ପରିମଳ ବ୍ୟବସ୍ଥା କିଭଳି ଆଉରି ସୁଦୃଢ଼ ହେବ, ବିଏମସି ତାଉପରେ ନଜର ଦେଉଛି । ସହର ଭିତରେ ଥିବା ଟେମ୍ପୋରାରି ଟ୍ରାନଜିଟ ଷ୍ଟେସନ- TTSକୁ ମଧ୍ୟ ଖୁବ୍ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା କରୁଛି ବିଏମସି। ପରିମଳ ବ୍ୟବସ୍ଥାରେ ସୁଧାର ଆସିଲେ ପ୍ରଦୂଷଣ ମଧ୍ୟ କମିବ ।

