ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ରାଜ୍ୟ ଜଳସମ୍ପଦ ବିଭାଗରେ ଓଡିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ( Odisha state hydrological data center) ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ । ଏହି କେନ୍ଦ୍ରରେ ଜଳ ସମ୍ପଦର ସୁପରିଚାଳନା ପାଇଁ ପାଣିପାଗ ଜନିତ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ କରାଯିବ । ପାଣିପାଗ, ବର୍ଷା, ନଦୀଜଳ ଓ ଜଳାଶୟରେ ଜଳଧାରଣ କ୍ଷମତାର ସଠିକ ସମୟାନୁକ୍ରମିକ ତଥ୍ୟ ସଂଗ୍ରହ କରାଯାଇ ଏହାର ବିଶ୍ଳେଷଣ କରାଯାଇପାରିବ । ଜଳ ସଂପଦ ବିଭାଗ, ସୂଚନା ପ୍ରଯୁକ୍ତି ଓ ଜଳ ବିଜ୍ଞାନର ସହାୟତାରେ ଏ ସଂପର୍କିତ ସମସ୍ତ ତଥ୍ୟ ସଂଗ୍ରହ, ସଂରକ୍ଷଣ ତଥା ବିଶ୍ଳେଷଣ କରାଯିବ । ଏହି କେନ୍ଦ୍ର ଦ୍ବାରା ଜଳସମ୍ପଦ ବିଭାଗର ଦକ୍ଷତା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇବ ।

ରାଜ୍ୟ ଜଳବିଜ୍ଞାନ କେନ୍ଦ୍ରର ପରିଚାଳନା, ବିଭାଗର ତୃଣମୂଳସ୍ତର ତଥା ଆନ୍ତଃ ବିଭାଗୀୟ ସମନ୍ୱୟ ରକ୍ଷା, ବନ୍ୟା ବିପର୍ଯ୍ୟୟ ସମୟରେ ୨୪ ଘଣ୍ଟିଆ ତଦାରଖ ଓ ନିର୍ଦ୍ଦେଶନା କାର୍ଯ୍ୟ ନିର୍ବାହ କରିବା ପାଇଁ ଏକ ସମନ୍ଵିତ ନିର୍ଦ୍ଦେଶ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଗଠନ କରାଯାଇଛି । ଜଳସମ୍ପଦ ବିଭାଗର ସୂଚନା ଓ ଜଳବିଜ୍ଞାନରେ ବିଶେଷ ରୁଚି ରଖିଥିବା ଯନ୍ତ୍ରୀମାନେ ଏଥିରେ ନିୟୋଜିତ ହୋଇଛନ୍ତି । ଜଳସମ୍ପଦ ବିଭାଗ (ରାଜୀବ ଭବନ)ର ୮ମ ମହଲାରେ ଆନୁଷଙ୍ଗିକ ସୁବିଧା ସହ ଏହି ତଥ୍ୟ କେନ୍ଦ୍ର ଅବସ୍ଥାପିତ ହୋଇଛି ।

ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିହତ କରିବା ପାଇଁ ଜଳସଂପଦର ବିକାଶ ସହିତ ଜଳ ସୁପରିଚାଳନାର ଗୁରୁତ୍ଵ ଯଥେଷ୍ଟ ବୃଦ୍ଧି ପାଇଛି । 5T ଉପକ୍ରମର ପ୍ରୟୋଗରେ ଜଳସଂପଦ ବିଭାଗ ଏହି ଆହ୍ଵାନକୁ ମୁକାବିଲା କରିବାକୁ ଅନେକାଂଶରେ ସକ୍ଷମ ହୋଇପାରିଛି ।

ଦୈନନ୍ଦିନ ଓ ବର୍ଷାଋତୁରେ ଘଣ୍ଟାପ୍ରତି ସଂଗୃହିତ ଏହି ତଥ୍ୟ ସମୂହରୁ ଜଳଉତ୍ସ ଗୁଡିକର ମୂଲ୍ୟାଙ୍କନ, ବର୍ଷା ପୂର୍ବାନୁମାନ, ବର୍ଷା ଜନିତ ବିପର୍ଯ୍ୟୟ ପରିଚାଳନା, କୃଷି ପାଇଁ କେନାଲ ମାଧ୍ୟମରେ ଜଳ ଯୋଗାଣ, କ୍ଷୁଦ୍ର, ମଧ୍ୟମ ଓ ବୃହତ ଜଳଭଣ୍ଡାରର ପରିଚାଳନା ଆଦି କାର୍ଯ୍ୟ ଏହି ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ମାଧ୍ୟମରେ କରାଯିବ । ଏତଦ୍ ବ୍ୟତିତ କୃଷି ଓ କୃଷକ ସଶକ୍ତିକରଣ, ସ୍ଵତନ୍ତ୍ର ରିଲିଫ କମିଶନର ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆଦି ଆନ୍ତଃ ବିଭାଗୀୟ ବ୍ୟବହାର ଓ ବିଶ୍ଳେଷଣ ପାଇଁ ଜଳବିଜ୍ଞାନ କେନ୍ଦ୍ରର ତଥ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ଜଳସମ୍ପଦ ବିଭାଗ Water ERP ପୋର୍ଟାଲର ପରିକଳ୍ପନା ଓ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।