ଜିଲ୍ଲା ପରେ ଜିଲ୍ଲା ବ୍ୟାପିବାରେ ଲାଗିଛି ହଇଜା, ନିରାକରଣର ବାଟ ପାଉନି ସ୍ବାସ୍ଥ୍ୟ ବିଭାଗ

ନନ୍ଦିଘୋଷ ବ୍ୟୁରୋ: ମୁଣ୍ଡ ନେଇ ଚାଲିଛି ଝାଡ଼ାବାନ୍ତି । ଆଜି ମାହାଙ୍ଗାରେ ଜଣଙ୍କର ହୋଇଛି ମୃତ୍ୟୁ । ଏହାକୁ ମିଶାଇ ସାରା ରାଜ୍ୟରେ ମୃତ୍ୟୁସଂଖ୍ୟା ୨୩ରେ ପହଞ୍ଚିଛି । ପ୍ରତିଦିନି ନୂଆ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଏଭଳି ସ୍ଥିତିରେ ଝାଡ଼ାବାନ୍ତିର ମୁକାବିଲା କିପରି କରାଯିବ ତାକୁ ନେଇ ଚିନ୍ତାରେ ପଡିଛି ସ୍ବାସ୍ଥ୍ୟ ବିଭାଗ ।

ଉଜୁଡ଼ି ଯାଉଛି ସଂସାର । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର । ଥମୁନି ଝାଡ଼ାବାନ୍ତି । ପ୍ରତିଦିନ ଆସୁଛି ନୂଆ ମାମଲା । ୧୧ ଦିନ ପରେ ବି କଣ୍ଟ୍ରୋଲକୁ ଆସୁନି ହଇଜା । ନିରାକରଣ ନେଇ ବାଟ ପାଉନି ସ୍ବାସ୍ଥ୍ୟ ବିଭାଗ । ଝାଡ଼ାବାନ୍ତିରେ ଆଜି ପୁଣି ଜଣଙ୍କର ମୁଣ୍ଡ ଗଡିଛି । ମାହାଙ୍ଗାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୨୩ରେ ପହଞ୍ଚିଛି । ସଂକ୍ରମଣରେ ଆଖି ବୁଜିଛନ୍ତି ମାହାଙ୍ଗା ବ୍ଲକ ମଉଦା କ୍ଷେତ୍ରପାଳ ଗାଁର ଅଜୟ ନାୟକ । ଖବର ଜଣାପଡିବା ପରେ ସ୍ବାସ୍ଥ୍ୟ ଓ ପରିମଳ ବିଭାଗର କର୍ମଚାରୀ ଗାଁରେ ପହଞ୍ଚି ପାଣିର ଉତ୍ସକୁ ବିଶୋଧନ କରିଛନ୍ତି । ଏପରିକି ପାଣିର ନମୁନାକୁ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି ।

ସେପଟେ ଯାଜପୁରରେ ଏଯାଏଁ ବି ନିୟନ୍ତ୍ରଣକୁ ଆସିନି ହଇଜା । ଜିଲ୍ଲାର ୧୩ ହସ୍ପିଟାଲରେ ଏବେ ବି ୧୪୬ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି । ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ ପକ୍ଷରୁ ସମୀକ୍ଷା କରାଯାଉଛି । ଧର୍ମଶାଳାରେ ୪୭, ଦାନଗଦିରେ ୧୩, ମଙ୍ଗଳପୁରରେ ୧୧, ବଡଚଣା ଓ ବରୀରେ ୩ ଜଣ ଲେଖାଏଁ, ବିଞ୍ଝାରପୁରରେ ୪, କୋରାଇରେ ୮, ଯାଜପୁର ରୋଡରେ ୧୦, ରସୁଲପୁରରେ ୨, ସୁକିନ୍ଦାରେ ୮ ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୭ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସେହିପରି ଝାଡାବାନ୍ତି ବ୍ୟାପିବା ପରେ ଆରଡ଼ି ସହ ଘଟଗାଁରେ ଖାଦ୍ୟ ଦୋକାନଗୁଡିକରେ ଯାଞ୍ଚ କରାଯାଉଛି ।

ବାଲେଶ୍ବର ଜିଲ୍ଲା ସୋର, ସିମୁଳିଆ ପରେ ଏବେ ଖଇରା ଅଞ୍ଚଳକୁ ବ୍ୟାପିଛି ଡାଇରିଆ । ୫ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସ୍ଥିତି ସାଂଘାତିକ ହେବା ପୂର୍ବରୁ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି । ଏପଟେ କଟକ ବାଙ୍କୀ ଘୋଳପୁରରେ ନିୟନ୍ତ୍ରଣକୁ ଆସିଛି ଡାଇରିଆ । ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ସହ ବିଶୁଦ୍ଧ ପିଇବା ପାଣି ଉପରେ ଗୁରୁତ୍ବ ଦେଇଛି । ଡ୍ରେନ ପାଣି ମିଶୁଥିବା ସ୍ଥାନକୁ ମରାମତି କରି ଉଚ୍ଚ ସ୍ଥାନରେ ପାଇପ ଫିଟିଂ କରାଯାଉଛି ।

ଦିନକୁ ଦିନ ଜଟିଳ ରୂପ ନେଉଛି ସ୍ଥିତି। ମେଡିକାଲରୁ କିଛି ସୁସ୍ଥ ହୋଇ ଫେରୁଥିବା ବେଳେ, ଆଉ କିଛି ନୂଆ ରୋଗୀ ଭର୍ତ୍ତି ହେଉଛନ୍ତି। ଏଭଳି ସ୍ଥିତିରେ ଆଉ କେତେ ମୁଣ୍ଡ ନେବ ଝାଡ଼ାବାନ୍ତି, ତାକୁ ନେଇ ଲୋକେ ଆଶଙ୍କାରେ ରହିଛନ୍ତି ।

ନଜର ପକାନ୍ତୁ