ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଓଡ଼ିଶା ରାଜ୍ୟ ବାର କାଉନସିଲର ନୋଟିସ୍, ୧୫ ଦିନରେ ଜବାବ ରଖିବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାଜ୍ୟ ବାର କାଉନସିଲର ନୋଟିସ୍ । ୧୫ ଦିନ ଭିତରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ । ମନ୍ତ୍ରୀ ଥିବା ବେଳେ ଅଫିସ୍ ଅଫ୍ ପ୍ରଫିଟ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ମନମୋହନଙ୍କୁ ନୋଟିସ୍ କରାଯାଇଛି ।
ସୂଚନାଯୋଗ୍ୟ, ମନମୋହନ ୧୯୮୬ ମସିହାରୁ ଅଦ୍ୟାବଧି ଲାଇସେନ୍ସ ପ୍ରାପ୍ତ ଆଇନଜୀବୀ ଅଛନ୍ତି । ତେବେ ୨୦୦୪ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ଏକଥା ସେ ବାର କାଉନସିଲକୁ ଜଣାଇ ନଥିଲେ । ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ରହିବା ଦ୍ବାରା ସେ ଅଫିସ ଅଫ୍ ପ୍ରଫିଟ୍ ନିୟମ ଭିତରକୁ ଆସୁଛନ୍ତି । ଏହି ସମୟ ମଧ୍ୟରେ ସେ ସାମୟିକ ଭାବେ ଆଇନଜୀବୀ ବୃତ୍ତିରୁ ଦୂରେଇ ରହିବା ପାଇଁ ବାର କାଉନସିଲ ନିକଟରେ ଆଇନଜୀବୀ ଲାଇସେନ୍ସ ଦାଖଲ କରିବାର ଥିଲା । କିନ୍ତୁ ସେ ଏଭଳି କରି ନଥିଲେ ।
ଏନେଇ ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ବାର କାଉନସିଲ୍ ମନମୋହନ ସାମଲଙ୍କୁ ୧୫ ଦିନିଆ ନୋଟିସ୍ ଜାରି କରିଛି । ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ସେ ପରବର୍ତ୍ତୀ ମସୟରେ ଏନେଇ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।