କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର, ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ଅନୁକମ୍ପାମୂଳକ ସହାୟତା ରାଶି । ପ୍ରତ୍ୟେକ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ମୃତକଙ୍କ ପରିବାର ପକ୍ଷରୁ ଆବେଦନ କରିବାକୁ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନକାରୀଙ୍କୁ ଏଥିପାଇଁ କୋଭିଡ ପଜିଟିଭ୍ ସାର୍ଟିଫିକେଟ ସହିତ ମୃତ୍ୟୁ ପ୍ରମାଣ ପତ୍ର ସହ ଆବେଦନ କରିବାକୁ ହେବ ।

ପରେ ଆବେଦନକାରୀଙ୍କୁ ମିଳିବ କୋଭିଡ ଜନିତ ମୃତ୍ୟୁ ସାର୍ଟିଫିକେଟ । ସାର୍ଟିଫିକେଟ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଲାଇନ୍ ଓ ଅଫଲାଇନ୍ ଯେକୌଣସି ଗୋଟିଏ ଫର୍ମାଟରେ ଆବେଦନ କରିବାକୁ ହେବ । ଆବେଦନ କରିବାର ମାସକ ମଧ୍ୟରେ ସମ୍ପୃକ୍ତ ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବ । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ୧୫୫୩୩୫ ଜାରି କରାଯାଇଛି ।

ସୂଚନା ଯୋଗ୍ୟ ଏ ନେଇ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ  ନିର୍ଦ୍ଦେଶ ରହିଛଇ । ଏହି ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟାକୁ ସୁଗମ କରିବାକୁ ସରକାର ଏକ ସ୍ୱତନ୍ତ୍ର ମୋବାଇଲ ଆପ୍ ‘କ୍ୟାପ୍ସ’ ପ୍ରସ୍ତୁତ କରିଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ଏହି ଆପ ମାଧ୍ୟମରେ ହିତାଧିକାରୀ (ମୃତକଙ୍କ ନିକଟ ସଂପର୍କୀୟ)ଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବେ । ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଲୋକମାନେ ଏହି ସହାୟତା ରାଶି ପାଇବା ପାଇଁ ଆସନ୍ତା ୩ତାରିଖରୁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ । ଆବେଦନ ନିର୍ଦ୍ଦିଷ୍ଟ ଫର୍ମାଟରେ ଅନଲାଇନରେ କିମ୍ବା ଅଫଲାଇନରେ  ଡାକ ମାଧ୍ୟମରେ କରିପାରିବେ । ସେମାନେ ଆବେଦନ ଫର୍ମ ସହ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ସଂଲଗ୍ନ କରିବେ । ଗୋଟିଏ କୋଭିଡ୍ ମୃତ୍ୟୁ ପାଇଁ ଗୋଟିଏ ଆବେଦନ ପତ୍ର ଦାଖଲ କରାଯାଇପାରିବ । ଆବେଦନ ପତ୍ର ପାଇବା ପରେ ଜିଲ୍ଲାପାଳ ତାହାର ଏକ କପି ତହସିଲଦାରଙ୍କ ନିକଟକୁ ଯାଞ୍ଚ ପାଇଁ ପଠାଇବେ । ତହସିଲଦାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଚିହ୍ନଟ କରିବା ସହ ତାଙ୍କର ବ୍ୟାଙ୍କ ଖାତା ସଂପର୍କିତ ତଥ୍ୟ ହାସଲ କରି ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଉପଜିଲ୍ଲାପାଳ ନିଜର ମନ୍ତବ୍ୟ ସହ ଆବେଦନକୁ ଏଡିଏମଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଏହା ପରେ ଜିଲ୍ଲାପାଳ ଆବେଦନକୁ ମଞ୍ଜୁର କରିବେ ।

ଏଥିସହିତ ପଢ଼ନ୍ତୁ: ଶୀତ ପ୍ରବାହ ମଧ୍ୟରେ ଓଡ଼ିଶାକୁ ଲଘୁଚାପ ଭୟ: ୧୩ ତାରିଖ ଯାଏଁ ଜାରି ରହିବ କୋହଲା ପାଗ

Leave a Reply