ଓଡ଼ିଶା ସ୍କିଲ୍ କନକ୍ଲେଭରେ ବିଶ୍ବ ଦେଖିଲା ଓଡ଼ିଶାର ଦକ୍ଷତା

1 min read

ଭୁବନେଶ୍ବର: ଏବେ ସଭିଙ୍କ ମୁହଁରେ ଏହି କ୍ୟାଚ ଲାଇନ୍ । ଆଉ ତାହା ହେଲା ସ୍କିଲ ନୁହେଁ, ସ୍କିଲ୍ଡ୍ ଇନ୍ ଓଡ଼ିଶା । ଜମି ଜମା ମ୍ୟାପିଂ ହେଉ କି କୃଷି କ୍ଷେତ୍ର, ଡ୍ରୋନ୍ ଉପଯୋଗ ଦ୍ବାରା ବଞ୍ଚିବ ସମୟ ଓ ଅର୍ଥ । ହାତ ପାଆନ୍ତାରେ ରହିବ ଅପହଞ୍ଚ ଇଲାକା । ବେସିକ୍ ଏଜୁକେସନ୍ ପରେ ବଜାର ଚାହିଦାକୁ ଆଖିରେ ରଖି ସମସ୍ତଙ୍କୁ ଦକ୍ଷତା ଅର୍ଜନ କରିବାକୁ ହେବ । ସମଗ୍ର ବିଶ୍ବକୁ ଓଡ଼ିଶା ଦେଇଛି ଏହି ବାର୍ତ୍ତା । ଏହାସହ ଅଢେଇ ଦିନ ବ୍ୟାପୀ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା ସ୍କିଲ୍ କନକ୍ଲେଭ-୨୦୨୩ ସମ୍ପନ୍ନ ହୋଇଛି ।

ଶେଷ ହୋଇଛି  କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଅଢ଼େଇ ଦିନ ବ୍ୟାପୀ ଚାଲିଥିବା ଦକ୍ଷତା ବିକାଶର ମହାକୁମ୍ଭ ଓଡ଼ିଶା ସ୍କିଲ୍ କନକ୍ଲେଭ -୨୦୨୩ । ପ୍ରଥମ ଥର ପାଇଁ ବିଶ୍ବ ଦେଖିଲା ସିଙ୍ଗାପୁର ITEES ଏବଂ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଅପୂର୍ବ ସମନ୍ବୟ । ଏକାସାଙ୍ଗେ ଗାଇଲେ ବନ୍ଦେ ଉତ୍କଳ ଜନନୀ । ପରସ୍ପର ଏକ୍ସଚେଞ୍ଜ୍ କଲେ ଆଇଡିଆ । ପଲିଟେକ୍ନିକ୍, ଆଇଟିଆଇ, ଇଞ୍ଜିନିୟରିଂ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍ବାକ୍ଷରିତ ହୋଇଛି ୨୦ଟି ଏମ୍ଓୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାର ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ନୂଆ ଉଦ୍ଭାବନ ଓ ଷ୍ଟାର୍ଟଅପମାନେ କିପରି ଆଗକୁ ବଢ଼ିବେ ସେଥିପାଇଁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ । ସ୍କିଲ୍ କନକ୍ଲେଭର ଗ୍ରାଣ୍ଡ୍ ସକ୍ସେସ୍ ନେଇ ସମସ୍ତ ଶତମୁଖ ।

ଆଗକୁ ଡ୍ରୋନ୍ ଟେକ୍ନୋଲୋଜିର ହେବ ବ୍ୟାପକ ବ୍ୟବହାର । ବେସାମିରକ ଓ ସାମରିକ ଉଦ୍ଦେଶ୍ୟ ଛଡ଼ା ଡ୍ରୋନକୁ ୧୦୦ରୁ ଅଧିକ ପ୍ରକାର କାମରେ ଲଗାଯାଇପାରିବ । ଯାହାକୁ ଗ୍ରହଣ କରିଛନ୍ତି ବିକଶିତ ରାଷ୍ଟ୍ର । ଓଡ଼ିଶା କୃଷି ଓ ଖଣିଜ ସମ୍ପଦ ଭରା ରାଜ୍ୟ ହୋଇଥିବାରୁ ଡ୍ରୋନ୍ ବ୍ୟବହାର ସରକାରଙ୍କୁ ରାଜସ୍ବ ସଂଗ୍ରହ ଓ ନିର୍ଭୁଲ ତଥ୍ୟ ସଂଗ୍ରହ କରିବାରେ ବିଶେଷ ସହାୟକ ହେବ । କନକ୍ଲେଭର ଶେଷ ଦିନରେ ସରକାରଙ୍କ ସବୁ ବିଭାଗର କ୍ଷେତ୍ରୀୟ ସ୍ତରରେ ଡ୍ରୋନ୍ ବ୍ୟବହାର ନେଇ ମତ ପ୍ରକାଶ ପାଇଛି । ଅପହଞ୍ଚ ଅଞ୍ଚଳରେ ଜମି ଜମାର ସଠିକ୍ ମ୍ୟାପିଂ ସହ କୃଷି କାର୍ଯ୍ୟରେ ବହୁଳ ବ୍ୟବହାର ହୋଇପାରିବ ଡ୍ରୋନ୍ । ଗୋଟିଏ ଏକର ଫସଲରେ କୀଟନାଶକ ସିଞ୍ଜନ ପାଇଁ ୭ ମିନିଟ୍ ସମୟ ନେଇ କାମ ସାରିବ ଡ୍ରୋନ । ଡ୍ରୋନ୍ ଟେକ୍ନୋଲୋଜି ପାଇଁ ୪ଟି ପର୍ଯ୍ୟାୟରେ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି । ଡ୍ରୋନ୍ ମାନ୍ୟୁଫକ୍ଚରିଂ, ଡ୍ରୋନ୍ ଅପରେସନ୍ ବା ପାଇଲଟିଂ, ଡାଟା ଆନାଲିଷ୍ଟ୍ ଓ ମରାମତି ବା ରକ୍ଷଣାବେକ୍ଷଣ । ଆସନ୍ତାଦିନରେ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଓଡିଶାର ୫ ହଜାର ଛାତ୍ରଛାତ୍ରୀଙ୍କୁ ଡ୍ରୋନ୍ ଜ୍ଞାନକୌଶଳର ପ୍ରଶିକ୍ଷଣ ଦେବ । ଏହାସହିତ ବଲାଙ୍ଗୀର ଓ ଭୁବନେଶ୍ବରରେ ଖୋଲିବ ରିମୋଟ ଅପରେଟେଡ୍ ଡ୍ରୋନ୍ ପାଇଲଟିଂ ଟ୍ରେନିଂ ସେଣ୍ଟର ।

ଓଡ଼ିଶା ପାଲଟିଛି ସ୍କିଲ ହବ୍ । କେବଳ କ୍ଲାସରୁମ୍ ଶିକ୍ଷା ନୁହେଁ, ନିଯୁକ୍ତି ଓ ରୋଜଗାର ପାଇଁ ଯେଉଁ ଦକ୍ଷତା ଦରକାର ଠିକ୍ ସେହିପରି ପ୍ରଶିକ୍ଷଣ ଦିଆଯିବ । ଆଉ ଏଥିରେ ସହାୟତା କରିବେ ଅଟୋମୋବାଇଲ, ଖଣିଜ ଉତ୍ତୋଳନ, ନିର୍ମାଣ, ଜଳ ପରିଚାଳନା, ପୋଷାକ ଓ ଆଇଟି ପରି ୩୭ଟି କ୍ଷେତ୍ରରେ କାମ କରୁଥିବା ସ୍କିଲ୍ କାଉନସିଲ । ଓଡ଼ିଶା ସ୍କିଲ କନକ୍ଲେଭ- ୨୦୨୩ ଦେଶକୁ ଦେଇଛି ନୂଆ ବାର୍ତ୍ତା । ପ୍ରତିବର୍ଷ ଏପରି ଦକ୍ଷତାର ମହାମିଳନ ନେଇ ସ୍କିଲ କନକ୍ଲେଭ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।