ଆଜିଠୁ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ଆଜିଠୁ ଓଡ଼ିଶା ଦକ୍ଷତା କନକ୍ଲେଭ୍-୨୦୨୩ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିଶ୍ୱସ୍ତରୀୟ ଦକ୍ଷତା ଉତ୍ସବ ଓଡ଼ିଶା ସ୍କିଲ୍ କନକ୍ଲେଭକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଭାଗନେବେ ବିଭିନ୍ନ ପଲିଟେକନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଓ ଶିଳ୍ପପତି । ମେକ୍ ଇନ୍ ଓଡ଼ିଶାର ପାର୍ଟ-୨ ହେଉଛି ଏହି ବିଶ୍ବସ୍ତରୀୟ ଦକ୍ଷତା ଉତ୍ସବ । ଏଥିରେ ବି ସାମିଲ ହେବେ ଏସଏଚଜି ମହିଳା । ବିଶ୍ୱସ୍ତରରେ ରେକର୍ଡ କରିଥିବା ଓଡ଼ିଆ ପିଲାଙ୍କ ସାମର୍ଥ୍ୟର ସୋ-କେସିଂ ପାଇଁ ଏଭଳି ସ୍କିଲ୍ କନକ୍ଲେଭର ଆୟୋଜନ କରାଯାଉଛି । ଆଜି ଉଦଘାଟନୀ ଦିବସରେ ଖଣି ଅଞ୍ଚଳରେ ଆର୍ଥ ମୁଭର୍ସ୍ ଚଳାଉଥିବା ୮ରୁ ୧୦ ଜଣ ମହିଳା ଡ୍ରାଇଭର୍ସଙ୍କୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ ।

ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ସକାଳ ୬ଟାରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଆୟୋଜନ କରାଯିବ । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ । ବିଶ୍ୱ ଦକ୍ଷତା କେନ୍ଦ୍ର ପାଇଁ ରାଜ୍ୟ ସରକାରାଙ୍କ ସହ ଗ୍ଲୋବାଲ ପାର୍ଟନର୍ ଭାବେ ସିଙ୍ଗାପୁରର ITEES ସହ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି । ସ୍କିଲ କନକ୍ଲେଭ ପାଇଁ ସିଙ୍ଗାପୁରର ଏହି ଅନୁଷ୍ଠାନର ୨୫ ଜଣ ଦକ୍ଷ ପିଲା ଏହି କନକ୍ଲେଭରେ ଯୋଗଦେବେ । ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଶେଷଦିନ ଡ୍ରୋନ୍ ଫେଡେରସନ୍ ଅଫ୍ ଇଣ୍ଡିଆ ଓ ବିଭିନ୍ନ ଦକ୍ଷତା ବିକାଶ ପରିଷଦର କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହାସହିତ ପ୍ରତିଦିନ ସଂଧ୍ୟାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।