ବର୍ଷାଜନିତ କ୍ଷୟକ୍ଷତି: ୧୫୬୯.୫୦ କୋଟି ଟଙ୍କାର ସହାୟତା ଦାବି କଲା ଓଡ଼ିଶା

ଭୁବନେଶ୍ୱର: ଚଳିତବର୍ଷ ଅଗଷ୍ଟ ମାସରେ ବର୍ଷା ଯୋଗୁଁ ହୋଇଥିବା ବନ୍ୟାଜନିତ କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ୧୫୬୯.୫୦ କୋଟି ଟଙ୍କାର ସହାୟତା ଲୋଡ଼ିଛନ୍ତି । ବନ୍ୟାରେ ଭିତ୍ତିଭୂମି, ଘର, ଚାଷ ଏବଂ ରିଲିଫ ଖର୍ଚ୍ଚ ବାବଦକୁ ମୋଟ ୧୬୪୨.୨୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଏସଡିଆରଏଫ ଓ ଏନଡିଆରଏଫ ଗାଇଡଲାଇନ ଅନୁସାରେ ୧୫୬୯.୫୦ କୋଟି ଟଙ୍କା ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନାର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ଚୂଡ଼ାନ୍ତ ସହାୟତା ଦାବି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ବନ୍ୟା କ୍ଷୟକ୍ଷତିଜନିତ ଚୂଡ଼ାନ୍ତ ରିପୋର୍ଟରେ ରିଲିଫ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦରେ ୭୧୫.୯୧ କୋଟି ଟଙ୍କା, ଜଳସମ୍ପଦ ବିଭାଗର ୬୪୮.୯୦କୋଟି ଟଙ୍କା, ପୂର୍ତ୍ତ ବିଭାଗର ୨୦୪.୭୦ କୋଟି ଟଙ୍କା ସହାୟତା ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଚୂଡ଼ାନ୍ତ ରିପୋର୍ଟରେ ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ, ବର୍ଷା ଓ ବନ୍ୟା ଯୋଗୁ ମୋଟ ୧୬୪୨.୨୬କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ତେବେ କମିଟିର ନିଷ୍ପତ୍ତି ଅନୁସାରେ, ବିଭିନ୍ନ ବିଭାଗରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ଲାଗି ଏସଡିଆରଏଫରୁ ୩୧୭.୫୮ କୋଟି ଟଙ୍କା ପ୍ରଦାନ କରାଯିବ । ସେହିଭଳି ବନ୍ୟା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜର କାର୍ଯ୍ୟକାରିତା ନେଇ କମିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦେଇଥିବା ପ୍ରସ୍ତାବ ଆଧାରରେ ବନ୍ୟାପ୍ରଭାବିତଙ୍କୁ ଚାଉଳ ବଣ୍ଟନ ବାବଦକୁ ୭୦ କୋଟି ଅନୁମୋଦନ କରାଯାଇଛି । ବନ୍ୟାରେ ପ୍ରଭାବିତ ଜିଲ୍ଲାରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେବେ ମୋଟ ଆକଳନ ପରେ ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଅନୁସାରେ, କ୍ଷତିଗ୍ରସ୍ତ ଚାଷିଙ୍କୁ କ୍ଷତିପୂରଣ ଦେବାକୁ ୧୯୭ କୋଟି ୮୫ ଲକ୍ଷ ୩୯ ହଜାର ଟଙ୍କାର ଆବଶ୍ୟକତା ରହିଛି । ଏଥିଲାଗି ଏସଡିଆରଏଫ ଗାଇଡଲାଇନ ଅନୁସାରେ ୨୨ଟି ଜିଲ୍ଲାରେ ହୋଇଥିବା ଚାଷ ଜନିତ କ୍ଷୟକ୍ଷତି ସହାୟତା ଦେବାକୁ କମିଟି ଉପରୋକ୍ତ ଅର୍ଥ ରାଶିକୁ ଅନୁମୋଦନ ପ୍ରଦାନ କରିଛି । ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ସେପ୍ଟେମ୍ବର ୧୬ ଓ ୧୭ତାରିଖରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ ଓଡ଼ିଶା ଗସ୍ତ କରିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ଆକଳନ ଅନୁସାରେ ମୋଟ ୧୭୮୪.୩୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା ।

Leave a Reply