ରାଜ୍ୟରେ ବିଜ୍ଞାନ ଓ କାରିଗରୀ ପରିବେଶର ଦୃଢ଼ୀକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ
1 min readଭୁବନେଶ୍ୱର: ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ ଏବଂ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍ କ୍ଳଷ୍ଟର (ବିସିକେଆଇସି) ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଆଜି ଅପରାହ୍ଣରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ସମ୍ମିଳିତ ଉଦ୍ୟମରେ ବିଜ୍ଞାନ ଓ କାରିଗରୀ କାର୍ଯ୍ୟକ୍ରମ ତଥା ଅଭିନବ ଭିତ୍ତିଭୂମିର ଉନ୍ନତିକରଣ ଉପରେ ବୁଝାମଣାପତ୍ରରେ ଗୁରୁତ୍ୱାରୋପ କରାଯାଇଛି।
ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ରାଜ୍ୟର ସାମର୍ଥ୍ୟକୁ ଏପରି ପଦକ୍ଷେପ ଅଧିକ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟରେ ବିଜ୍ଞାନ ଶିକ୍ଷା, ଗବେଷଣା, ଯୋଗାଯୋଗ ଓ ନୂତନ ଉଦ୍ଭାବନ ଇତ୍ୟାଦିକୁ ପ୍ରୋତ୍ସାହନ ଦେବାରେ ଏପରି ବୁଝାମଣା ଲାଭଦାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି। ସେ ମଧ୍ୟ ରାଜ୍ୟରେ
ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି।
ରାଜ୍ୟର ବିଜ୍ଞାନ ଓ କାରିଗରୀ ନୀତି ପ୍ରଣୟନ, ବିଭିନ୍ନ ବିଜ୍ଞାନଭିତ୍ତିକ କୌଶଳର ହସ୍ତାନ୍ତରଣ, ଶିକ୍ଷା-ସ୍ୱାସ୍ଥ୍ୟ-ପରିମଳ-ପରିବେଶ ଓ ଯୋଗାଯୋଗ କ୍ଷେତ୍ରରେ ଅଧିକ ଜ୍ଞାନବିନିମୟ, ତାଲିମ ଓ ଦକ୍ଷତା ବୃଦ୍ଧି, ଉଦ୍ୟୋଗ ତଥା ବୁଦ୍ଧିଜୀବୀଙ୍କ ମିଳିତ ଉଦ୍ୟମ ନିମନ୍ତେ ପ୍ରୋତ୍ସାହନ ଏବଂ ବିଦ୍ୟାଳୟସ୍ତରରୁ ପରୀକ୍ଷାମୂଳକ ଶିକ୍ଷଣ ନିମନ୍ତେ କାର୍ଯ୍ୟକ୍ରମ ରୂପାୟନ ଇତ୍ୟାଦି କ୍ଷେତ୍ରରେ ଉଭୟ ବିଜ୍ଞାନ ଓ କାରିଗରୀ ବିଭାଗ ତଥା ବିସିକେଆଇସି ଏକତ୍ର କାର୍ଯ୍ୟ କରିବେ ବୋଲି ବୁଝାମଣାପତ୍ରରେ ଦର୍ଶାଯାଇଛି।