କମ୍‌ ଟଙ୍କା ଦେବାରୁ ରୋଗୀଙ୍କୁ ୩୦୦ କିଲୋମିଟର ଫେରାଇ ଆଣିଲା ଡ୍ରାଇଭର, ତାପରେ…

ସମ୍ବଲପୁର: ଅମାନବିକତାର ଆଉଏକ ଘୃଣ୍ୟ କାହାଣୀ । ସାମାନ୍ୟ କେଇଟା ଟଙ୍କା ପାଇଁ ରୋଗୀ ଓ ୫ ବର୍ଷ ଶିଶୁ ସମେତ ପୁରା ପରିବାରକୁ ଆମ୍ବୁଲାନ୍ସ ଭିତରେ ତାଲା ପକାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିଲା ଡ୍ରାଇଭର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ବୁର୍ଲା ଅଞ୍ଚଳରେ ।

ଜଣେ ଗରିବ ଶ୍ରେଣୀର ରୋଗୀ ବୁର୍ଲା ଭିମ୍‌ସାର ମେଡିକାଲରେ ଚିକିତ୍ସିତ ହେଉଥିଲା । କିଛି ଦିନ ଧରି ଚିକିତ୍ସା ପରେ ଡାକ୍ତର ତାଙ୍କୁ ଡିସ୍‌ଚାର୍ଜ କରିଥିଲେ । ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ପରିବାର ଲୋକ ତାଙ୍କୁ ଘରକୁ ନେବା ପାଇଁ ଏକ ଆମ୍ବୁଲାନ୍ସ ଭଡ଼ା କରିଥିଲେ । ଆମ୍ବୁଲାନ୍ସଟି ରୋଗୀଙ୍କ ଘରେ ପହଞ୍ଚାଇଥିଲା ସତ କିନ୍ତୁ ପୁଣି ଫେରାଇ ଆଣି ସମ୍ବଲପୁର ମେଡିକାଲରେ ଛାଡ଼ି ଦେଇଥିଲା । ଏହା ପଛର କାରଣ ହେଉଛି ରୋଗୀଙ୍କ ପରିବାର । ଯେତିକି ଟଙ୍କା ଆମ୍ବୁଲାନ୍ସକୁ ଦେବେ ବୋଲି କହିଥିଲେ ସେଥିରୁ କିଛି ଟଙ୍କା କମ୍‌ ଥିଲା ତାଙ୍କ ପାଖରେ । ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ରୋଗୀଙ୍କୁ ଜୋରଜବରଦସ୍ତ ତାଲା ପକାଇ ପୁଣି ୩୦୦ କିଲୋମିଟର ଫେରାଇ ଆଣିଥିଲେ ।

ହେଲେ ଏଇଠି ସରୁନି ଡ୍ରାଇଭରର ଅମାନବିକତାର କାହାଣୀ । ଆମ୍ବୁଲାନ୍ସକୁ ମେଡିକାଲରେ ପୁଣି ପହଞ୍ଚାଇବା ପରେ ଗାଡ଼ିର ତାଲା ଖୋଲିନଥିଲା ଡ୍ରାଇଭର । ଅନେକ ସମୟ ଧରି ଗାଡ଼ିରେ ଥିବା ରୋଗୀ ଓ ୫ ବର୍ଷର ଶିଶୁ ପ୍ରତି ମଧ୍ୟ ଡ୍ରାଇଭରର ଦୟା ଆସିନଥିଲା । ଭୋକ ଉପାସରେ ଶିଶୁଟି ଆଉଟ ପାଉଟ ହେଉଥିଲେ ମଧ୍ୟ ଗୁହାରୀ ଶୁଣିନଥିଲା ଆମ୍ବୁଲାନ୍ସ ଡ୍ରାଇଭର ।

ତେବେ ସ୍ଥାନୀୟ ଲୋକ ଜାଣିବା ପରେ ଉକ୍ତ ପରିବାରକୁ ଆମ୍ବୁଲାନ୍ସରୁ ଉଦ୍ଧାର କରିଥିଲେ । ଏବଂ ଶିଶୁଟିର ଯତ୍ନ ନେଇଥିଲେ । ଖାଲି ସେତିକି ନୁହେଁ ଡ୍ରାଇଭରଟିକୁ ଅଟକ ରଖି ମେଡିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମେଡିକାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଏପ୍ରିଲ ମାସ ୧୫ ତାରିଖରୁ ନୁଆଁପଡା ଜିଲ୍ଲା ରାଜଖରିଆର ଅଞ୍ଚଳର ଡଗ୍ରେଶ୍ୱର ମାଝୀ ଟିବି ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଚଳିତ ମାସ ୨ ତାରିଖ ଦିନ ଡାକ୍ତର ତାଙ୍କୁ ଦିସଚାର୍ଜ କରିଥିଲେ । ଏହା ପରେ ଡଗ୍ରେଶ୍ୱର ତାଙ୍କ ସ୍ତ୍ରୀ ବିମଳା ମାଝୀ ଓ ୫ ବର୍ଷ ଶିଶୁ ପୁତ୍ର ରୂପେଶକୁ ଆମ୍ବୁଲାନ୍ସ ଭଡ଼ା କରି ଘରକୁ ଯାଇଥିଲେ ।

Leave a Reply