ବୈଷୟିକ ଶିକ୍ଷାରେ ଓଡ଼ିଶା ରୋଲ୍ ମଡେଲ୍, ପ୍ରଦର୍ଶନ ଅନୁଯାୟୀ ପଲିଟେକନିକ୍ କଲେଜ ରାଙ୍କିଂ

1 min read

ଭୁବନେଶ୍ୱର: ଭଲ ପଲିଟେକନିକ୍ କଲେଜରେ ପଢିବାକୁ ଚାହୁଁଛନ୍ତି କି ? ତେବେ ଓଡ଼ିଶା ଆସନ୍ତୁ । କାରଣ ଏଠାରେ ପଲିଟେକନିକ୍ କଲେଜ ଗୁଡ଼ିକୁ ପ୍ରଦର୍ଶନ ଅନୁଯାୟୀ ଦିଆଯାଉଛି ରାଙ୍କିଂ । ସାରା ଦେଶରେ ଏକମାତ୍ର ରାଜ୍ୟ ଭାବେ ପଲିଟେକନିକ କଲେଜ ଗୁଡ଼ିକୁ ପ୍ରଦର୍ଶନ ଆଧାରରେ ରାଙ୍କ ଦେଉଛି ଓଡ଼ିଶା । ଉତ୍ତମ ବୈଷୟିକ ଶିକ୍ଷା ଦିଗରେ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ମିଳିଛି କେନ୍ଦ୍ରୀୟ ସ୍ବୀକୃତି । ରାଙ୍କିଂ ବ୍ୟବସ୍ଥାକୁ ସ୍ଵଚ୍ଛ କରିବା ପାଇଁ କ୍ବାଲିଟି କଣ୍ଟ୍ରୋଲ ଅଫ ଇଣ୍ଡିଆକୁ ଦାୟିତ୍ବ ଦିଆଯାଇଥିଲା। ନ୍ୟାସନାଲ ଆକ୍ରିଡିଏସନ ବୋର୍ଡ ଫର୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ବୋର୍ଡର କ୍ବିସିଆଇ ରାଙ୍କିଙ୍ଗରେ ସ୍ଥାନ ପାଇଥିବା ସମସ୍ତ ଶହେ ପଲିଟେକନିକାଲ କଲେଜ ପରିଦର୍ଶନ କରିବା ସହ ଏକାଧିକ ପର୍ଯ୍ୟାୟରେ ମୂଲ୍ୟାଙ୍କନ କାର୍ଯ୍ୟ କରିଛନ୍ତି । ସମସ୍ତ ଅଭିଯୋଗ ସମାଧାନ ଓ ଅପିଲ୍ ରିଜୋଲ୍ୟୁସନ୍ ପରେ ଚୂଡ଼ାନ୍ତ ମାନ୍ୟତା ଦିଆଯାଇଛି। ଉଭୟ ସରକାରୀ ଓ ଘରୋଇ ପଲିଟେକନିକ କଲେଜକୁ ନେଇ ରାଙ୍କିଂ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଆଧାରରେ ରାଙ୍କିଂ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ରାଙ୍କିଂ ପଦ୍ଧତିକୁ କେନ୍ଦ୍ରୀୟ ଏଜେନସି କ୍ବିସିଆଇ ପ୍ରଶଂସା କରିଛି। ଏହା ପଲିଟେକନିକ୍ କଲେଜ ଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବଢାଇବା ଫଳରେ ଛାତ୍ରଛାତ୍ରୀ ଉପକୃତ ହେବେ । ଅନ୍ୟ ରାଜ୍ୟ ବି ଓଡ଼ିଶାର ଏହି ମଡେଲକୁ ଅନୁସରଣ କରି ବୈଷୟିକ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଗୁଣବତ୍ତା ବୃଦ୍ଧି କରିବା ନେଇ ମତ ଦେଇଛି ନାବେଟ୍ ।

ରାଜ୍ୟରେ ପଲିଟେକନିକ୍ କଲେଜ ଗୁଡ଼ିକର ଡିପ୍ଲୋମାସ୍ତରୀୟ ଶିକ୍ଷାର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶାରେ ୨୦୨୨ ମସିହାରୁ ରାଙ୍କିଂ ପଦ୍ଧତି ଗ୍ରହଣ କରାଯାଇଛି । ଚଳିତ ବର୍ଷ କିଟ୍ ପଲିଟେକନିକ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଶ୍ରେଷ୍ଠ ୧୦ କଲେଜ ଭିତରେ ୬ଟି ସରକାରୀ ପଲିଟେକନିକ କଲେଜ ରହିଛି । ଆଗକୁ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି କରିବାକୁ ସେମାନଙ୍କ ଅଭିନବ ପ୍ରକଳ୍ପକୁ ବି ରାଙ୍କିଂ ଦିଆଯିବାର ବ୍ୟବସ୍ଥା କରାଯାଉଛି । କ୍ରୀଡ଼ା ପରି ଶିକ୍ଷାର ହବ୍ ପାଲଟୁଛି ଓଡ଼ିଶା । ନୂଆ ନୂଆ ଶିକ୍ଷା ପଦ୍ଧତି ସହ 5T ଆଧାରରେ ବିକଶିତ ଚିନ୍ତାଧାରା ନେଇ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର। ଏଥିସହ ପ୍ରଦର୍ଶନ ଓ ପ୍ରତିଯୋଗିତାକୁ ପ୍ରାଥମିକତା ଦିଆଯାଉଛି ।