ମହିଳାଙ୍କୁ ରାଜନୀତିର ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ମିଳୁ, ନବୀନଙ୍କ ନେତୃତ୍ବରେ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି

ନନ୍ଦିଘୋଷ ବ୍ୟୁରୋ: ମହିଳାଙ୍କୁ ରାଜନୀତିର ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ମିଳୁ । ଏନେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି । 1992ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ପଂଚାୟତରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷଣ କରିଥିଲେ । ତାଙ୍କ ପରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ଗୋଟିଏ ପରେ ଗୋଟିଏ ଯାଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି । 2011ରେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ, ପଂଚାୟତ ସମିତି ଆଇନ ଓ ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ଆଣି ମହିଳାଙ୍କ ପାଇଁ ସଂରକ୍ଷଣ 33 ପ୍ରତିଶତରୁ 50 ପ୍ରତିଶତକୁ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ ।

ସେହିଭଳି 2012ରେ ଓଡିଶା ପୌର ପରିଷଦ ଓ ମହାନଗର ନିଗମ ଆଇନରେ ମଧ୍ୟ ସଂଶୋଧନ ଆଣାଯାଇ ମହିଳାଙ୍କ ପାଇଁ 50 ପ୍ରତିଶତ ଆସନ ସଂରକ୍ଷଣ କରାଗଲା । ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣ ଦିଗରେ ଏହାଥିଲା ନବୀନ ପଟ୍ଟନାୟକଙ୍କ ଆଉ ଏକ ବଳିଷ୍ଠ ପଦକ୍ଷେପ । ମହିଳା ସଶକ୍ତିକରଣରେ ନବୀନଙ୍କ ଅଭିଯାନ ଏଇଠି ସରିନଥିଲା । ମହିଳା ସଶକ୍ତିକରଣ ବିନା କୌଣସି ସମାଜ, ରାଜ୍ୟ କିମ୍ବା ଦେଶର ବିକାଶ ହୋଇପାରିବ ନାହିଁ, ଏହା ହେଉଛି ନବୀନ ପଟ୍ଟନାୟକଙ୍କ ଦୃଢ ଆତ୍ମବିଶ୍ବାସ । ଯେଉଁଥିପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ବିଜେଡି ପାଇଁ ଏହା ହେଉଛି ଏକ ମନ୍ତ୍ର ।

ମହିଳା ସଶକ୍ତିକରଣ ଦିଗରେ ଆଉ ଆଉ ପାଦେ ଆଗକୁ ଯାଇ ବିଜେଡି ପକ୍ଷରୁ 2018 ନଭେମ୍ବର ମାସରେ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷଣ କରିବାକୁ ଓଡିଶା ବିଧାନସଭାରେ ଏକ ସଂକଳ୍ପ ଆଗତ ହୋଇଥିଲା । ସର୍ବସମ୍ମତି କ୍ରମେ ଓଡିଶା ବିଧାନସଭାରେ ଏହା ପାରିତ ହୋଇଥିଲା । ସେହି ବର୍ଷ ଡିସେମ୍ବର 5 ତାରିଖରେ ବିଜେଡି ନେତାମାନେ 7ଟି ଜାତୀୟ ଦଳ ସମେତ 22ଟି ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟି ମହିଳା ସଂରକ୍ଷଣ ବିଲ ସପକ୍ଷରେ ସହମତି ଲୋଡିବାକୁ ନିଷ୍ପତ୍ତି ହୋଇଥିଲା ।

ବିଜେଡି ନେତାମାନେ ମଧ୍ୟ ସବୁ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟି ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ସପକ୍ଷରେ ସମର୍ଥନ ହାସଲ କରିଥିଲେ । 2019 ମାର୍ଚ୍ଚ 10 ତାରିଖରେ ବିଜେଡି 33 ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତଦନୁଯାୟୀ 2019 ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଲୋକସଭା ପାଇଁ ପ୍ରତ୍ୟେକ ତିନିଜଣରେ ଜଣେ ମହିଳାଙ୍କୁ ଏହିପରି 7ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ । ମହିଳା ସଶକ୍ତିକରଣ ପାଇଁ ବିଜେଡିର ଏହି ଲଢେଇ ଦୀର୍ଘ ବର୍ଷ ଦରି ଜାରି ରହିଥିବା ବେଳେ ବିଜେଡି ସାଂସଦମାନେ ବିଭିନ୍ନ ସମୟରେ ସଂସଦ ଓ ସଂସଦ ବାହାରେ ଏହି ଦାବି କରିଆସୁଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏହି ଦାବି ରଖିଥିଲେ ।

ମହିଳା ସଶକ୍ତିକରଣରେ ଓଡିଶା ସାରା ଦେଶ ପାଇଁ ମଡେଲ ହୋଇଥିବା ବେଳେ ମିଶନ ଶକ୍ତି ଜରିଆରେ 70 ଲକ୍ଷରୁ ଅଧିକ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ହୋଇଛି । ଗାଁରୁ ସହର ଯାଏଁ ମହିଳାମାନେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଉଛନ୍ତି । ମହିଳାଙ୍କୁ ପାର୍ଲାମେଣ୍ଟ ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପ୍ରକ୍ରିୟା ଓଡିଶା ମାଟିରୁ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ମଙ୍ଗ ଧରିଛନ୍ତି । ପ୍ରଥମତଃ ଏକ ବିଲ ଆଗତ କରି ପୌର ଓ ପଞ୍ଚାୟତରେ ମହିଳାଙ୍କ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।

ଏହାପରେ ୨୦୧୮ ମସିହା ନଭେମ୍ବର ୨୧ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ । ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନିମନ୍ତେ ଆଗତ ଏହି ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା । ଏହି ସଂକଳ୍ପ ଆଧାରରେ ବିଜେଡିର ଏକ ପ୍ରତିନିଧି ଦଳ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟକୁ ଗସ୍ତକରି ସଂପୃକ୍ତ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ସାକ୍ଷାତକରି ଏହି ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ ।

କେବଳ କଥାରେ କଥାରେ ଏହାକୁ ନରଖି ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡି ସୁପ୍ରିମୋ ପ୍ରଥମେ ଏହାକୁ ନିଜ ଦଳ କ୍ଷେତ୍ରରେ ଲାଗୁ କରିବାକୁ ଘୋଷଣା କରିଥିଲେ । ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୩୩ ପ୍ରତିଶତ ଆସନରେ ଅର୍ଥାତ ୭ଟି ଆସନରେ ବିଜୁ ଜନତା ଦଳ ମହିଳା ପ୍ରାର୍ଥୀ ଦେବ । ଦଳୀୟ ଟିକେଟ ପ୍ରଦାନ ବେଳେ ସେୟା ହିଁ ହେଲା ।

ବିଜୁ ଜନତା ଦଳ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା । ମହିଳାଙ୍କ ବିକାଶ ଏବଂ ମହିଳାଙ୍କ ସଶକ୍ତିକରଣ ଦିଗରେ ଅହରହ କାର୍ଯ୍ୟ କିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର ଏହି ସଂରକ୍ଷଣ ବାବଦରେ ସ୍ବର ଉଠାଇ ଆସୁଛନ୍ତି । ଆଜି ସଂସଦର ଅଧିବେଶନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମଧ୍ୟ ବିଜୁ ଜନତାଦଳର ସାଂସଦମାନେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବିଲ ଆଗତ କରିବାଲାଗି ଦାବି ଦୋହରାଇଥିଲେ ।