ରକ୍ତ ସଂଗ୍ରହରେ ଓଡିଶାର ରେକର୍ଡ, ଦିନକରେ ୧୮ ହଜାର ୫୧୪ ୟୁନିଟ ଦେଇଛନ୍ତି ଡୋନର୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ନୂଆ ରେକର୍ଡ । ଗୋଟିଏ ଦିନରେ ସଂଗ୍ରହ ହୋଇଛି ୧୮ ହଜାର ୫୧୪ ୟୁନିଟ ରକ୍ତ । ଯାହା ଓଡ଼ିଶାର ରକ୍ତ ସଂଗ୍ରହ କ୍ଷେତ୍ରରେ ଅଲ ଟାଇମ ରେକର୍ଡ ବୋଲି ଜଣାପଡ଼ିଛି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ବିଜେଡି ସେବା ଦିବସ ଭାବରେ ପାଳନ କରିଥିଲା । ଏଥିପାଇଁ ବିଜେଡି ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରାଜ୍ୟରେ ୧୧୨ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଯେଉଁଥିରେ ଗୋଟିଏ ଦିନରେ ୧୮ ହଜାର ୫୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ରେକର୍ଡକୁ କେନ୍ଦ୍ର ସରକାରଙ୍କୁ ଅବଗତ କରିଛି ସ୍ବାସ୍ଥ୍ୟ ବିଭାଗ । ଓଡ଼ିଶା ମୋ ପରିବାର ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ଗୋଟିଏ ଦିନରେ ଏପରି ରେକର୍ଡ ସଂଖ୍ୟାରେ ରକ୍ତ ସଂଗ୍ରହ କରିନଥିବା ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । କଟକ ଜିଲ୍ଲାରୁ ସର୍ବାଧିକ ୨ ହଜାର ୮୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୧୬ଶହ ଓ ବାଲେଶ୍ବର ଜିଲ୍ଲାରୁ ୧ ହଜାର ୭୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ।.

 

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ରକ୍ତଦାନର ରେକର୍ଡ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ବିଶ୍ବାସକୁ ଆହୁରି ପ୍ରତିପାଦିତ କରିଥିବା କହିଛି ବିଜେଡି ।