ଅକ୍ଟୋବରରେ ପାରଦ ୩୫ ଡିଗ୍ରୀ ଉପରେ, ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରେକର୍ଡ

1 min read

ଭୁବନେଶ୍ବର: ରାଜ୍ୟରେ ରାଜ୍ କରୁଛି ଗରମ ଗୁଳୁଗୁଳି । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମେଘ ମୁକ୍ତ ଆକାଶ ସହ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ପ୍ରବାହ ପାଇଁ ରାଜ୍ୟରେ ଏଭଳି ସ୍ଥିତି ଦେଖାଦେଇଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି ।

ଗତକାଲି ସର୍ବାଧିକ ତାପମାତ୍ରା ଚାନ୍ଦବାଲିରେ ରେକର୍ଡ ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ବି ତାତି ଜାରି ରହିଛି । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ ମଧ୍ୟ କମିଛି । ଫଳରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ସେପଟେ ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେବାପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।