ଦ୍ୱିତୀୟ ଦିନରେ ଟିକାକରଣ, ୩୫୦୦ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଟିକାକରଣ ୨୫ ତାରିଖ ସୁଦ୍ଧା ସରିବ । ଯେଉଁଥିପାଇଁ ମୋଟ ୩ ଲକ୍ଷ ୩୮ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜିକୃତ ହୋଇଛନ୍ତି । ପ୍ରଥମ ଦିନରେ ରାଜ୍ୟରେ ମୋଟ ୧୩ହଜାର ୮୯୦ଜଣ ଟିକା ଗ୍ରହଣ କରିଛନ୍ତି । ଅବଶିଷ୍ଟ ୧ଲକ୍ଷ ୭୮ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ୧୬୯୮ଟି ସେସନ ସାଇଟସରେ ଟିକା ଦିଆଯିବ । ଟିକା ନେବାର ୨୮ଦିନ ପରେ ପୁଣି ଦ୍ବିତୀୟ ଡୋଜ୍ ଦିଆଯିବ । ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ ଥିବା ବେଳେ ଏଥିପାଇଁ ପଞ୍ଜିକୃତ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ମେସେଜ୍ ଜରିଆରେ ସୂଚନା ଦିଆଯାଉଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ କହିଛନ୍ତି ।

ସେପଟେ ରାଜଧାନୀରେ ପ୍ରଥମ ଦିନରେ ମାତ୍ର ୬ଟି କେନ୍ଦ୍ରରେ ଟିକା ଦିଆଯାଇଥିବା ବେଳେ ଦ୍ୱିତୀୟ ଦିନରେ ୨୪ଟି କେନ୍ଦ୍ରରେ ମୋଟ ୩୫୦୦ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ସରକାରୀ ଡାକ୍ତରଖାନା ସମେତ ରାଜ୍ୟବ୍ୟାପୀ ବିଭିନ୍ନ ଘରୋଇ ହସ୍ପିଟାଲରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ କରାଯାଉଛି । କଟକ ଏସସିବି ମେଡିକାଲରେ ୫ଟି କେନ୍ଦ୍ରରେ ୧ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ଟିକାଗ୍ରହଣ ପରେ କାଳେ କିଛି ପାର୍ଶ୍ବ ପ୍ରତିକ୍ରିୟା ବାହାରିବ ସେଥିପାଇଁ ମଧ୍ୟ ୧୦ଟି ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଆଇସିୟୁ ସହ ଡାକ୍ତରୀ ଦଳ ଗଠନ କରାଯାଇଥିବା ନୋଡାଲ ଅଧିକାରୀ କହିଛନ୍ତି ।

ଭୁବନେଶ୍ବର ସ୍ଥିତ ହାଇଟେକ୍ ମେଡିକାଲରେ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟ ପାଇଁ ୨ଶହ ଭାଏଲ କୋଭାକ୍ସିନ୍ ପହଞ୍ଚିଛି । ସେପଟେ ଦୁଇ ଦଫା ଦାବିରେ ନିରବ ପ୍ରତିବାଦ କରିଛନ୍ତି ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ । କଳାବ୍ୟାଜ୍ ପରିଧାନ କରି ଟିକାକରଣ କାର୍ଯ୍ୟକ୍ରମରେ ସକ୍ରିୟ ସାମିଲ ହୋଇଥିଲେ ହେଁ ଟିକା ଗ୍ରହଣ କରୁନାହାନ୍ତି । ରାଜ୍ୟରେ ପ୍ରାୟ ୧୫ହଜାର ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ ଆନ୍ଦୋଳନରେ ସାମିଲ ଥିବା ମହାସଂଘ ପକ୍ଷରୁ କୁହାଯାଇଛି ।

Leave a Reply