କରୋନା ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା, ୧୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ

1 min read
Odisha record Highest Covid Patient recovery with in a day

ଭୁବନେଶ୍ୱର: ସୁସ୍ଥ ହେଉଛି ଓଡ଼ିଶା । ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପି ଚାଲିଥିବା ବେଳେ ବଢ଼ୁଛି ସୁସ୍ଥତା ହାର । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୬୧୨ ଜଣ ସଂକ୍ରମିତ ସୁସ୍ଥ ହେବା ସହ ଓଡ଼ିଶା ୧୦ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ସୁସ୍ଥ କରି ରେକର୍ଡ କରିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୦ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୪, କେନ୍ଦୁଝରରୁ ୪୮, ଗଜପତିରୁ ୩୫, ବାଲେଶ୍ୱରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ରୁ ୨୫, ଯାଜପୁରରୁ ୨୦, ମୟୂରଭଞ୍ଜରୁ ୧୫, କଟକ- କୋରାପୁଟ ଓ ଜଗତସିଂହପୁରରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ଼ ଓ ପୁରୀରୁ ୬ ଜଣ ଲେଖାଏଁ, ବଲାଙ୍ଗିରରୁ ୫, କେନ୍ଦ୍ରାପଡ଼ାରୁ ୩, କଳାହାଣ୍ଡି ଓ କନ୍ଧମାଳରୁ ୨ ଜଣ ଲେଖାଏଁ, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

ଏଥିସହ ରାଜ୍ୟରେ ୧୦ ହଜାର ୪୭୬ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେତେବେଳେ କି ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୪ ହଜାର ୩୨୧ ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । କରୋନା ମହାମାରୀରେ ରାଜ୍ୟର ୭୭ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି ଗତ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ୱରରୁ ୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୩ଟି ମାମଲା କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୨୭ଟି ସ୍ଥାନୀୟ ସଂକ୍ରମଣ ବୋଲି ବିଏମସି ସୂଚନା ଦେଇଛନ୍ତି । ସେହିଭଳି ୨୪ ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୫୯ଟି ଥିବାବେଳେ ୪୬୨ଟି ସକ୍ରିୟ କେସ୍ ରହିଛି ।

Leave a Reply