ଦୂର ହେବ ଲୋକଙ୍କର ଜମିଜମା ସଂକ୍ରାନ୍ତୀୟ ସମସ୍ୟା, କେମିତି ଜାଣନ୍ତୁ

1 min read

ଭୁବନେଶ୍ୱର: ଗୃହନିର୍ମାଣ ସଂସ୍ଥା ଜରିଆରେ ଠକେଇର ଶିକାର ହେଉଛନ୍ତି ଲୋକେ । ନ୍ୟାୟ ପାଇଁ ଏଣେତେଣେ ବୁଲି ନୟାନ୍ତ ହେଉଛନ୍ତି କ୍ଷତିଗ୍ରସ୍ତ । ଏଭଳି ମାମଲାର ବିଚାର ପାଇଁ ଯଦିଓ ୨୦୧୭ ମସିହାରୁ ରାଜ୍ୟରେ ଓଡିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥୋରିଟି ବା ‘‘RERA’’ଗଠିତ ହୋଇଛି ତେବେ ଏହାର ରାୟକୁ ଚାଲେଞ୍ଜ କରିବାକୁ ଲୋକଙ୍କୁ ହାଇକୋର୍ଟକୁ ଯିବାକୁ ପଡୁଛି । ଫଳରେ ନ୍ୟାୟ ପାଇଁ ଲୋକଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡୁଛି ।

ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗଠିତ ହୋଇଛି ‘‘OREAT’’ ବା ଓଡିଶା ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ । ଫଳରେ ଏଣିକି ରାଜ୍ୟର ସମସ୍ତ ରିଅଲ ଇଷ୍ଟେଟ୍ ସମ୍ପର୍କିତ ଆପତ୍ତି ଓ ଅଭିଯୋଗର ହେବ ତ୍ୱରିତ ବିଚାର । ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଭୁବନେଶ୍ୱରର ଫର୍ଚୁନ୍ ଟାଓ୍ୱାର ସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟକ୍ଷମ ହେବ ଓରିଏଟ୍ ।

ରିଅଲ ଇଷ୍ଟେଟ୍ ଆଇନ ୨୦୧୬ ଓ ଓଡିଶା ରିଅଲ ଇଷ୍ଟେଟ୍ ନିୟମ ୨୦୧୭ ଆଧାରରେ ଗଠିତ ହୋଇଛି ଏହି ଆପିଲେଟ୍ ଟ୍ରିବ୍ୟୁନାଲ ଓରିଏଟ୍ । ବର୍ତ୍ତମାନ କରୋନା ଯୋଗୁଁ ଭିଡିଓ କନଫରେନ୍ସିଂ ଜରିଆରେ ହେବ ଶୁଣାଣି । ଏଥିରେ କ୍ଷତିଗ୍ରସ୍ତ ବ୍ୟକ୍ତିଗତ ମଧ୍ୟ ନିଜର ଆପତ୍ତି ଓ ଅଭିଯୋଗ କରିପାରିବେ । ଓରିଏଟ୍ ସ୍ଥାପନ ଫଳରେ ବିଲଡରମାନଙ୍କ ଉପରେ ନିୟନ୍ତ୍ରଣ ରହିବ ।

ଲୋକମାନେ ଠକାମୀର ଶିକାର ହେବା ମଧ୍ୟ କମିବ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ମହକିଲଙ୍କ ସହ ଓକିଲ ଏପରିକି ବିଲଡରମାନେ ମଧ୍ୟ ସ୍ୱାଗତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ବିକ୍ରିକର ବିଭାଗ ଅଧୀନରେ ଥିବା ୧୬ଟି ଓ ରେରା ଅଧୀନରେ ଥିବା ୭୮ଟି ଏହି ଭଳି ମୋଟ ୯୪ଟି ମାମଲା ଓରିଏଟ୍‌କୁ ସ୍ଥାନାନ୍ତର ହୋଇସାରିଛି । ଯାହାର ବିଚାର ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ  ।

(ଭୁବନେଶ୍ୱରରୁ ଶକ୍ତିଧର ରାଜଗୁରୁ)

Leave a Reply