ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକାଳରେ ବିକାଶର ଶିଖର ଛୁଇଁଛି ଓଡ଼ିଶା

1 min read

ଭୁବନେଶ୍ବର: ଚାକିରିରୁ ସ୍ବେଚ୍ଛାକୃତ ଅବସରର ନେବା ପରେ ଭି.କେ. ପାଣ୍ଡିଆନଙ୍କୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନିଯୁକ୍ତି । ନିଜ କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଓଡ଼ିଶାକୁ ବାସ୍ତବ ରୂପ ଦେଇଛନ୍ତି ଭି.କେ. ପାଣ୍ଡିଆନ ।  ୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ ନିଜ କ୍ୟାରିୟର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ଏହି ସମୟରେ ଚାଷୀଙ୍କ ଅଧିକାର ପାଇଁ କାମ କରିଥିଲେ । ମିଲର ରାଜକୁ ଦମନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରଳୀକରଣ ପାଇଁ ନେଇଥିଲେ ପଦକ୍ଷେପ ।

ପରେ ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ହୋଇଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନାରେ ରାଷ୍ଟ୍ରପତିଙ୍କଠାରୁ ସେ ସମୟରେ ସେ ଜାତୀୟ ପୁରସ୍କାର ପାଇଥିଲେ । ଭିନ୍ନକ୍ଷମ ସଶକ୍ତିକରଣରେ ସେ ଆରମ୍ଭ କରିଥିବା ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ସାରା ଦେଶ ପାଇଁ ମଡେଲ ହୋଇଛି । ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ମଡେଲକୁ ଆପଣାଇଛନ୍ତ ।

ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ଭି.କେ ପାଣ୍ଡିଆନଙ୍କୁ ପ୍ରଶାସକ ଓ ସାମରିକ ବାହିନୀର ମିଳିତ ପାଠ୍ୟକ୍ରମ ଉପରେ ବକ୍ତବ୍ୟ ରଖିବାକୁ ବହୁବାର ନିମନ୍ତ୍ରଣ କରାଯାଇଛି । ଲୋକକଲ୍ୟାଣ ପ୍ରଶାସନ ଦ୍ବାରା କିଭଳି ମାଓବାଦୀ କାର୍ଯ୍ୟକଳାପକୁ ହ୍ରାସ କରାଯାଇପାରିବ ତାହା ସେ ମୟୂରଭଞ୍ଜ ଜିଲ୍ଲାପାଳ ଥିବାବେଳେ କରି ଦେଖାଇଥିଲେ । ଭିନ୍ନକ୍ଷମଙ୍କ ସଶକ୍ତିକରଣରେ ସେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ହେଲେନ କେଲର ପୁରସ୍କାର ମଧ୍ୟ ମିଳିଛି ।

୨୦୦୭ରୁ ୨୦୧୧ ଯାଏଁ ଗଞ୍ଜାମ ଜିଲ୍ଲାପାଳ ଥିଲେ ଭି.କେ. ପାଣ୍ଡିଆନ । ଏହି ସମୟରେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି  ଗଞ୍ଜାମ । ଏଡସ ଆକ୍ରାନ୍ତଙ୍କ ପାଇଁ ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ନରେଗାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଦୁଇ ଦୁଇ ଥର ତାଙ୍କୁ ଜାତୀୟ ପୁରସ୍କାର ମିଳିଛି । ଜିଲ୍ଲାପାଳ ଥିବା ସମୟରେ ନରେଗା ଯୋଜନାରେ ବ୍ୟାଙ୍କ ଜରିଆରେ ମଜୁରୀ ସିଧାସଳଖ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ପ୍ରକ୍ରିୟା ସେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇ ସାରା ଦେଶରେ ଲାଗୁ କରିଥିଲେ ।

ରାଉରକେଲା ଏଡିଏମ ଭାବେ ମଧ୍ୟ ସେ କିଛିଦିନ ଦାୟିତ୍ବ ତୁଲାଇଥିଲେ । ସେ ସମୟରେ ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିବା ବିଏସଏସ ମାର୍କେଟ କମ୍ପ୍ଲେକ୍ସକୁ ଆର୍ଥିକ ସ୍ବାବଲମ୍ବୀ କରାଇଥିଲେ । ସେ ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ । ୨୦୧୯ରେ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଅଛନ୍ତି ଭି.କେ ପାଣ୍ଡିଆନ ।