ଆସନ୍ତା ୨୭ରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ; ଶୃଙ୍ଖଳିତ ଯାତ୍ରା ଏବଂ ସୁପରିଚାଳନା ନେଇ ବୈଠକ

1 min read

ପୁରୀ: ଆସନ୍ତା ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ଶୃଙ୍ଖଳିତ ଯାତ୍ରା ଏବଂ ସୁପରିଚାଳନା ନେଇ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ୨୬ରେ ନବଯୌବନ ଦର୍ଶନ, ୨୭ରେ ରଥଯାତ୍ରା, ଜୁଲାଇ ୧ ତାରିଖରେ ହେରା ପଞ୍ଚମୀ, ୪ରେ ସନ୍ଧ୍ୟା ଦର୍ଶନ, ୫ ରେ ବାହୁଡା, ୬ ରେ ସୁନାବେଶ, ୭ରେ ଅଧରପଣା ଓ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ ନୀଳାଦ୍ରିବିଜେ ନୀତି । ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଛି । ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯିବା ସହ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବ । ଏହାଛଡ଼ା ରେଳବାଇ ପୋଲିସ ପକ୍ଷରୁ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ ଆଦି ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ଆରପିଏଫ ସହ ଉପଯୁକ୍ତ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି । ଏହାସହ ସହରର ସମସ୍ତ ଥାନା ଅଞ୍ଚଳରେ ଅପରାଧୀଙ୍କ ବିରୋଧରେ ସ୍ଵତନ୍ତ୍ର ଡ୍ରାଇଭ, ହୋଟେଲ ଏବଂ ଲଜ ଗୁଡିକରେ ନିୟମିତ ଯାଞ୍ଚ, ରକ୍ଷକ ଯାନ ମୁତୟନ, K-9 ସ୍କ୍ବାଡ ମୁତୟନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା, ସ୍ୱତନ୍ତ୍ର ହେଲିପ୍ୟାଡ, ପୋଲିସ ଫୋର୍ସଙ୍କ ରହଣି ନିମନ୍ତେ ସ୍ୱତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ ବ୍ୟବସ୍ଥା କରାଯିବ । ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ସମାଧାନ କରାଯିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଡିଜିପି । ଏହାସହ ବୈଠକରେ ଆପାତକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।