ଆଜି ୩ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସକ୍ରିୟ ମୌସୁମୀ ଟ୍ରପଲାଇନ ସହ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର । କାଲି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ସମେତ ୧୭ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଆକସ୍ମିକ ବନ୍ୟାର ପରିସ୍ଥିତି ସୃଷ୍ଟି ହେବା ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହୋଇପାରେ। ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମିବା ସହ ଟ୍ରାଫିକ ସମସ୍ୟା ଉପୁଜିବ ।

ଚଳିତମାସ ଶେଷ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୁତ ନ ହେଲେ ବି ବର୍ଷା ଲାଗି ରହିବ । ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ମଧ୍ୟ ତାହା ଘନୀଭୁତ ହେବା ବେଳକୁ ଛତିଶଗଡ, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଗୁଜୁରାଟରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି । ତେଣୁ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ଅଧିକ ବର୍ଷା ହେବ । ଅନ୍ଯପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୧୨ ପ୍ରତିଶତ ନିଅଁଣ୍ଟିଆ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସ୍ବାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ଟି ଜିଲ୍ଲାରେ ଅଧିକ ଏବଂ ୧୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।