ଜାତୀୟ ରାଜପଥ ପ୍ରକଳ୍ପରେ ଓଡ଼ିଶାକୁ କେନ୍ଦ୍ରର ଅବହେଳା !
1 min read
ନନ୍ଦିଘୋଷ ବ୍ୟୁରୋ: ଶାସନ ବଦଳିଲା । ଭୁବନେଶ୍ବରରୁ ଦିଲ୍ଲୀ ଚାଲିଲା ଡବଲ ଇଞ୍ଜିନ । ତଥାପି ଜାତୀୟ ରାଜପଥ ପ୍ରକଳ୍ପରେ ଓଡ଼ିଶାକୁ ଅବହେଳା ହିଁ ଅବହେଳା ଦେଖିବାକୁ ମିଳୁଛି । ୨୦୨୪-୨୫ ବର୍ଷରେ ଜାତୀୟ ରାଜପଥ ପ୍ରକଳ୍ପ ବାବଦରେ ସର୍ବଭାରତୀୟ ସ୍ତରରେ ୧୪ ତମ ସ୍ଥାନରେ ରହିଛି ଓଡ଼ିଶା । ଗ୍ରାଣ୍ଡ ରିଙ୍ଗ ରୋଡ, କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ, ଅଟଳ ଏକ୍ସପ୍ରେସ ଭାଗ୍ୟ ଏବେ ବି ଫିଟିପାରୁନି । ରେଳ, କୋଇଲା ଓ ଖଣି ରାଜସ୍ବର ସିଂହ ଭାଗ କେନ୍ଦ୍ର ନେଉଛି । କିନ୍ତୁ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ରୀୟ ପ୍ରକଳ୍ପରେ ମିଳୁଛି କାଣିଚାଏ । ବିଜେପିର ଖୋଦ ୨୦ ସାଂସଦ ଲୋକସଭାକୁ ଯାଇ କଣ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟବାସୀ ।
ହାତୀ ଭଳି ରାଜସ୍ବ ନେଉଛି କେନ୍ଦ୍ର । ପିମ୍ପୁଡ଼ି ଭଳି ଓଡ଼ିଶା ପାଇଁ ଆବଣ୍ଟନ । ଜାତୀୟ ରାଜପଥ ପ୍ରକଳ୍ପରେ ପୁଣି ଥରେ କେନ୍ଦ୍ର ଅବହେଳା ପଦାକୁ ଆସିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ତଳଆଡ଼ୁ ୧୪ ନମ୍ବର ସ୍ଥାନରେ । ତଥାପି ଖୁସି ରାଜ୍ୟର ବିଜେପି ସରକାର । ଅଭିଯୋଗ ହୋଇଛି, ଆୟତନରେ ଓଡ଼ିଶା ଦେଶ ୮ ନମ୍ବର ରାଜ୍ଯ । ଜନସଂଖ୍ୟା ତୁଳନାରେ ୧୧ ନମ୍ବର । ଓଡ଼ିଶାର କୋଇଲା ଦେଶକୁ ଆଲୋକିତ କରୁଛି । ରେଳ, ଜିଏସ୍ଟି ରାଜସ୍ବରେ କେନ୍ଦ୍ର ଟ୍ରେଜେରୀ ଭରୁଛି । ହେଲେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ଅଧପନ୍ତରିଆ । କାହିଁକି ? ଡବଲ ଇଞ୍ଜିନ ସରକାର ପରେ ବି ଏ ଅବହେଳା କଣ ପାଇଁ ? ଏ ନେଇ ପ୍ରଶ୍ନ ଉଠାଇଲେଣି ବିଶେଷଜ୍ଞ । ତଥ୍ୟ ଦେଇ କହିଛନ୍ତି ୨୦୨୩-୨୪ରେ ଓଡ଼ିଶା ଜାତୀୟ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ର ସଡ଼କ ପରିବହନ ପକ୍ଷରୁ ଏତେ କମ୍ ବଜେଟ୍ ପାଇଥିଲା ଅନ୍ୟ ରାଜ୍ୟ ତୁଳନାରେ ଏହା ୧୬ ନମ୍ବର ସ୍ଥାନରେ ଥିଲା । କେରଳ ଭଳି ଛୋଟିଆ ରାଜ୍ୟରୁ ଅଳ୍ପ ସଂଖ୍ୟକ ସାଂସଦ ଥାଇ ୧୦ ହଜାର କୋଟି ଟାଣି ଆଣିପାରିଲେ । ଅଥଚ ଓଡ଼ିଶାର ସାଂସଦଙ୍କ ମୁହଁରୁ ସଂସଦରେ ପଦୁଟିଏ ଏକ୍ସପ୍ରେସ ରାସ୍ତା ନେଇ ମୁହଁ ଖୋଲୁନି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଯେପରି କାହାରି ଆଖିକୁ ଦେଖାଯାଉନି । ମାଲକାନଗିରିର ମୋଟୁରୁ ମୟୂରଭଞ୍ଜର ତିରିଙ୍ଗି ୬ ଲେନ୍ ବିଶିଷ୍ଟ ଅଟଳ ଏକ୍ସପ୍ରେସ ଓ୍ବେ କୁଆଡ଼େ ଗଲା ? କୁଆଡ଼େ ଗଲା ଗ୍ରାଣ୍ଡ ରିଙ୍ଗ ରୋଡ ପ୍ରକଳ୍ପ । କ୍ୟାପିଟାଲ ରିଙ୍ଗ ରୋଡ ଭାଗ୍ୟ କଥା ତ ସମସ୍ତେ ଜାଣନ୍ତି ।
ରାଜ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଜଳ ଜଳ ଦିଶୁଛି । ୧୩ ଜାତୀୟ ରାଜପଥ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ଡେଡ୍ଲାଇନ୍ ଘୁଞ୍ଜି ଘୁଞ୍ଚି ଯାଉଛି । ମରଣଯନ୍ତା ପାଲଟିଥିବା କଟକ-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ୨୦୨୦ ମସିହାରେ ସମ୍ପୂର୍ଣ୍ଣ ହେବାର ଥିଲା । କେତେ ଡେଡ୍ଲାଇନ୍ ଚାଲିଗଲାଣି । ଏବେ ଚଳିତମାସରେ ସମ୍ପୂର୍ଣ୍ଣ ହେବା ନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ପୁଣି ଥରେ ଘୋଷଣା କରିଛନ୍ତି । ସେହିପରି ରାଜ୍ୟ ସରକାର ବି କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଦୃଢ଼ ଦାବି ରଖୁନାହାନ୍ତି । ପ୍ରକଳ୍ପ ଘୋଷଣା କରିବାରେ କେନ୍ଦ୍ର ସରକାର ସିଦ୍ଧହସ୍ତ । କିନ୍ତୁ ବଜେଟ୍ ଦେଉନାହାଁନ୍ତି । ବଜେଟ୍ ଆସିଲେ ବି ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଭିନ୍ନ ଅଥରିଟିଙ୍କ NOC ଆଣିବାରେ କାଳ ବିଳମ୍ବ କରିଚାଲିଛନ୍ତି । ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ଏକ ପ୍ରକାର ପାତର ଅନ୍ତରର ଶିକାର ହେଉଥିବା ଅଭିଯୋଗ ହୋଇଛି । ରାଜ୍ୟର ସିଙ୍ଗଲ ଇଞ୍ଜିନ ସରକାର ଥିଲା । ଚିଠି ଲେଖି ଚାପ ପକାଇ କ୍ଲିୟରାନ୍ସ୍ ଆଣୁଥିଲେ । ଏବେ ୧୦ ମାସ ହେଲାଣି ଡବଲ ଇଞ୍ଜିନ ସରକାର ଚୁପ ବସିଛନ୍ତି । ଗମନାଗମନର ବିକାଶ ନ ହୋଇ କିପରି ରାଜ୍ୟର ଅଭିବୃଦ୍ଧି ହେବ ? ବିକଶିତ ଓଡ଼ିଶାର ରୋଡ ମ୍ୟାପ୍ କଣ ଏୟା ବୋଲି ପ୍ରଶ୍ନ ଉଠିଛି । ବୁଦ୍ଧିଜୀବୀଙ୍କ ମତ, ଓଡ଼ିଶାର ଅର୍ଥନୀତି ସବୁବେଳେ ରାଜନୀତିର ଶିକାର ହୋଇଚାଲିଛି । ଏପରି ଚାଲିଲେ ରାଜ୍ୟର ବିକାଶ ଏକ ସ୍ଲୋଗାନ୍ରେ ହିଁ ରହିଯିବ ।