ରାଜ୍ଯବାସୀଙ୍କୁ ବାଧିଲାଣି ଦରବୃଦ୍ଧି: ଆସନ୍ତାକାଲି ରାଜଧାନୀରେ ରଣହୁଙ୍କାର
ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଡବଲ ଇଂଜିନ ସରକାର ବିରୋଧରେ ରାଜଧାନୀରେ ଶୁଭିବ ରଣହୁଙ୍କାର। ଦରଦାମ ବୃଦ୍ଧି ଓ ଅନ୍ୟାନ୍ଯ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ ବିଜେଡି। ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ କରାଯିବ ଗଣବିକ୍ଷୋଭ । ପରେ ଏହି ଆନ୍ଦୋଳନକୁ ପଞ୍ଚାୟତ ସ୍ତରରେ କରିବ ଦଳ ।
ବିଜେପି କ୍ଷମତାକୁ ଆସିଲା । ତାସହ ଆସିଲା ମହଙ୍ଗା ମାଡ଼ର କଳଙ୍କିତ ଅଧ୍ୟାୟ । ଦୁଇ ମାସ ଭିତରେ ମୁଦ୍ରାସ୍ଫୀତିରେ ହେଲା ରେକର୍ଡ । ୬.୭୮ ପ୍ରତିଶତ ହାରରେ ମୁଦ୍ରାସ୍ଫୀତିରେ ତୃତୀୟ ସ୍ଥାନରେ ଓଡ଼ିଶା ରହିଛି । ପଦାରେ ପଡିଲା ଡବଲ ଇଂଜିନ ସରକାରଙ୍କ ଅର୍ଥନୈତିକ ପରିଚାଳନାର ଡିଣ୍ଡିମ। ଅତ୍ୟାବଶକୀୟ ସାମଗ୍ରୀର ଦାମ ଆକାଶଛୁଆଁ ହେଲାଣି । ପ୍ରତିବାଦରେ ଆସନ୍ତାକାଲି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ଲୋୟର ପିଏମଜିଠାରେ ବିଶାଳ ଗଣବିକ୍ଷୋଭ କରିବ ବିଜୁ ଜନତା ଦଳ ।
ସାମିଲ ହେବେ ରାଜ୍ୟର ହଜାର ହଜାର ଲୋକ। ଆଗକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିବ ବିଜେଡି । ଦରଦାମ ବୃଦ୍ଧି ଯୋଗୁଁ ମହିଳା ସର୍ବାଧିକ କ୍ଷତି ସହୁଛନ୍ତି । ହାଣ୍ଡିଶାଳରେ ଚଡକ ପକାଇଛି ମହଙ୍ଗା ମାଡ଼ । ନିର୍ବାଚନ ସମୟରେ ବିଜେପି ଯେଉଁ ଉଜ୍ଜ୍ବଳା ଯୋଜନା କଲେ, ସେଥିରେ ସିଲିଣ୍ଡର ରିଫିଲିଂ ଖର୍ଚ୍ଚ ଅଧିକ ଥିବାରୁ, ମହିଳା ପୁଣି ଥରେ ଚୁଲି ମୁଣ୍ଡକୁ ଠେଲି ହୋଇଗଲେ । ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଦର କମିଲେ ବି ତେଲ ଦର କମୁନାହିଁ। ୨୦୧୪ରୁ କ୍ରମାଗତ ଭାବେ ଦର ଏପରି ବଢି ଚାଲିଛି ଯେ ଲୋକେ ଗାଡ଼ି ଚଲାଇବାକୁ ଭୟ କଲେଣି । ସୁଭଦ୍ରା ଯୋଜନା ଭେଳିକି କରି ଟଙ୍କା ଦିଆଗଲା । ଅନ୍ୟପଟେ ସୁଭଦ୍ରା ନାଁରେ ଡବଲ ପାଇପ ଲଗାଇ ଶୋଷଣ କରାଯାଉଥିବା ବିଜେଡି ଅଭିଯୋଗ କରିଛି ।
ମହଙ୍ଗା ମାଡ଼ ବିରୋଧୀ ନାରା ଦେଇ ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିଥିଲା ବିଜେପି । ହେଲେ ୧୦ ବର୍ଷରୁ ଦରଦାମ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ଅଭିଯୋଗ କରିଛି ବିଜେଡି । ଗତ ୬ ମାସରେ ଦେଶର ମୁଦ୍ରାସ୍ଫୀତି ୩୦ ପ୍ରତିଶତରୁ ଅଧିକ ରହିଛି । ଓଡ଼ିଶାରେ ଏହା ୭ ପ୍ରତିଶତ ରହିଛି । ଗାଁରେ ୮ ପ୍ରତିଶତରେ ପହଞ୍ଚିଛି । ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନଥିବା କଟାକ୍ଷ କରିଛି ବିଜେଡି । ସେପଟେ ଦରବୃଦ୍ଧି ଠାରୁ ଅଧକ ବ୍ୟଥିତ କରିଛି ବିଜେପି ସରକାରର ମନ୍ତ୍ରୀମାନଙ୍କ ବେପରୁଆ ମନ୍ତବ୍ୟ ।
ଦରଦାମ ବୃଦ୍ଧି ଯୋଗୁଁ ଡବଲ ଇଂଜିନ ସରକାରଙ୍କ ଦୁର୍ବଳ ଅର୍ଥନୈତିକ ପରିଚାଳନାକୁ ବିଭିନ୍ନ ମହଲରେ ଦାୟୀ କରାଯାଉଛି । ଏହା ବିରୋଧରେ ଆନ୍ଦୋଳନ କେବଳ ବିଜେଡି ସ୍ତରରେ ସୀମିତ ହୋଇ ରହିନି, ସାରା ଦେଶର ଖାଉଟି ସ୍ବର ଉଠାଇଲେଣି ।