ଟିକା ଅଭାବ ଦୂର କରିବାକୁ ଓଡ଼ିଶାର ପ୍ରସ୍ତାବ: ବିଦେଶରୁ ଟିକା କିଣିଦେଲେ ରାଜ୍ୟ ସରକାର ଦେବେ ଟଙ୍କା

ଭୁବନେଶ୍ୱର: କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଏକ ଜରୁରୀକାଳୀନ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବରେ ରାଜ୍ୟ ସରକାର ବିଦେଶରୁ ଟିକା କିଣିବା ଲାଗି ଉପୁଜୁଥିବା ସମସ୍ୟାକୁ ସମାଧାନ କରିବାକୁ ନିବେଦନ କରିଛନ୍ତି। ଯେଉଁ ବୃହତ୍ ଆନ୍ତର୍ଜାତୀୟ ଟିକା ନିର୍ମାତାମାନେ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ଦେବାକୁ ମନା କରୁଛନ୍ତି ସେମାନଙ୍କଠାରୁ ଓଡ଼ିଶା ପାଇଁ ଟିକା କିଣିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ରମନ୍ତ୍ରୀ ନବ କିଶୋର ଦାସ। ପ୍ରତିବଦଳରେ ଟିକା କିଣାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିବେ ବୋଲି ଉଲ୍ଳେଖ କରିଛନ୍ତି।

ଶ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ମାଗଣା ଟିକା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ ଟିକା ଅଭାବ ଥିବାରୁ ଆନ୍ତର୍ଜାତୀୟ ସ୍ତରରୁ ଟିକା କିଣିବା ଲାଗି ଯଥା ସମ୍ଭବ ପ୍ରୟାସ ହୋଇଛି। ଗ୍ଲୋବାଲ୍ ଟେଣ୍ଡର ପ୍ରକାଶ କରାଯାଇଛି। ହେଲେ ବହୁରାଷ୍ଟ୍ରୀୟ କମ୍ପାନୀ ସିଧାସଳଖ ରାଜ୍ୟଙ୍କୁ ଟିକା ଦେବାକୁ ଚାହୁଁନଥିବା କଥା ସ୍ୱାସ୍ଥ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । ବହୁରାଷ୍ଟ୍ରୀୟ ଔଷଧ କମ୍ପାନୀ,ଯେପରିକି ଫାଇଜର ଓ ମଡର୍ଣ୍ଣା ସିଧା ସଳଖ ରାଜ୍ୟଙ୍କୁ ଟିକା ବିକ୍ରି କରିବା ବଦଳରେ ସଂଘୀୟ ସରକାରଙ୍କ ସହିତ ଟିକା ବିକ୍ରି ସମ୍ବନ୍ଧିତ ଚୁକ୍ତି କରିବାକୁ ଅଧିକ ଇଛୁକ ବୋଲି ଜଣା ପଡୁଛି । ନିକଟରେ କିଛି ରାଜ୍ୟ ସିଧାସଳଖ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ । କିନ୍ତୁ କୌଣସି ବିଦେଶୀ କମ୍ପାନୀ ଏଥିପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଟିକା କିଣି ରାଜ୍ୟଙ୍କୁ ଦେଉ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପତ୍ରରେ ଲେଖିଛନ୍ତି ।

ଏହି ପ୍ରସ୍ତାବ ଦେବା ବେଳେ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନଙ୍କଠାରୁ ଆଉ ପାଦେ ଆଗକୁ ଯାଇଛନ୍ତି। କେନ୍ଦ୍ର ଓଡ଼ିଶା ପାଇଁ ଆବଶ୍ୟକ ଟିକା କିଣିଲେ ତାହାର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଚିଠି ସ୍ପଷ୍ଟ କରୁଛି। ଅର୍ଥାତ୍ ଓଡ଼ିଶା ଏହାର ଅଧିବାସୀଙ୍କୁ ଟିକାକରଣ କରିବା ଲାଗି କେନ୍ଦ୍ର ଉପରେ ଆଉ ଏକ ବୋଝ ହେବାକୁ ଚାହୁଁ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଅନୁସାରେ ଓଡ଼ିଶା ନିଜ ପାଣ୍ଠିରୁ ଟିକା ବାବଦ ଖର୍ଚ ତୁଲାଇବ । କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ଥିବା ଆଇନଗତ ପ୍ରତିବନ୍ଧକକୁ ନଜରରେ ରଖି କେନ୍ଦ୍ର ସରକାର ରାଜ୍ୟଠୁ ଆବଶ୍ୟକ ଅର୍ଥ ନେଇ ଟିକା କିଣି ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ର ମନ୍ତ୍ରୀ।

ଏହି ଚିଠିରେ କୋୱିନ ପୋର୍ଟାଲକୁ ନେଇ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଟିକାକରଣ ପାଇଁ କୋୱିନ୍ ପୋର୍ଟାଲରେ ପଂଜିକରଣକୁ ବାଧ୍ୟତାମୁଳକ କରାନଯାଉ ବୋଲି ସେ ଅନୁରୋଧ କରିଛନ୍ତି । ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଇଣ୍ଟରନେଟ୍ ସମସ୍ୟା ରହିଛି। ଏହାଛଡ଼ା କୋ ୱିନ୍ ପୋର୍ଟାଲ୍ ବ୍ୟାପକ ଟିକାକରଣରେ ପ୍ରତିବନ୍ଧକ ହେଉଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ । ତେଣୁ କୋୱିନ୍ ପଂଜିକରଣକୁ ବର୍ତ୍ତମାନ ପାଇଁ ବାଦ୍ ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଏମିତି ହେଲେ ଶୀଘ୍ର ଟିକାକରଣ ହୋଇ ପାରିବ ବୋଲି ସେ ଲେଖିଛନ୍ତି ।

ରାଜ୍ୟ ସରକାର କେନ୍ଦ୍ର ସ୍ବାସ୍ଥ୍ରମନ୍ତ୍ରୀଙ୍କୁ କହିଛନ୍ତି ଯେ, ଟିକାକରଣରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟଙ୍କ ମଧ୍ୟରେ ଅଧିକ ସକ୍ରିୟ ଥିବା ବେଳେ ଟିକା ନଷ୍ଟ ହାର ୪ ପ୍ରତିଶତ ରହିଛି।ଓଡ଼ିଶା ୬୧ ଲକ୍ଷ ୬ ହଜାର ୪୧୫ ଜଣଙ୍କୁ ଏପର୍ଯ୍ୟନ୍ତ ଅତିକମରେ ଗୋଟିଏ ଡୋଜ୍ ଟିକା ଦିଆ ସରିଛି । ଯଦିଓ ଆମର ଟିକାକରଣ କ୍ଷମତା ଦୈନିକ ୩ ଲକ୍ଷ ରହିଛି, କିନ୍ତୁ ଟିକା ଅଭାବ ଯୋଗୁ ଏବେ ଦୈନିକ ୬୦ରୁ ୭୦ ହଜାର ଲୋଙ୍କଙ୍କୁ ହିଁ ଟିକା ଦିଆଯାଉଛି । ଏପ୍ରିଲ ମାସରେ ଓଡ଼ିଶା ଦୈନିକ ୨ ଲକ୍ଷ ଲୋକଙ୍କୁ ଟିକା ଦେଇଥିବା ରେକର୍ଡ଼ ରହିଛି।

ଭାରତରେ ଉତ୍ପାଦିତ ଟିକାକୁ ଅନୁମତି ମିଳିବା ପରେ ଓଡ଼ିଶା ସରକାର ୨ଶହ ୨୦ ଲକ୍ଷ କୋଭିସିଲ୍ଡ୍ ଡୋଜ୍ ଲାଗି ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ୍ ଡୋଜ୍ ପାଇଁ ପାଇଁ ଭାରତ ବାୟୋଟେକକୁ ଅର୍ଡର ଦେଇଥିଲେ। କିନ୍ତୁ ସିରମ ଇନଷ୍ଟିଚ୍ୟୁଟ୍ ଏଭିତରେ ମାତ୍ର ୫ ଲକ୍ଷ ୭୮ ହଜାର ୪୮୦ କୋଭିସିଲ୍ଡ୍ ଡୋଜ୍ ଯୋଗାଇ ପାରିଥିବା ବେଳେ ଭାରତ ବାୟୋଟେକ୍ ୧ ଲକ୍ଷ ୬୫ ହଜାର ୪୯୦ ଡୋଜ୍ କୋଭାକ୍ସିନ୍ ଦେଇଛନ୍ତି । ଓଡ଼ିଶାର ଜନସଂଖ୍ୟା ଦୃଷ୍ଟିରୁ ଏତିକି ଟିକା ଯଥେଷ୍ଟ ନୁହେଁ ।

Leave a Reply