spot_img

Latest Posts

ରାଜ୍ୟରେ ଦୂର ହେଉନି ଆଳୁ ସଙ୍କଟ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ମାସାଧିକ କାଳ ଜାରି ରହିଛି ଆଳୁ ସଙ୍କଟ । ଏଭଳି ସମସ୍ୟା ମଧ୍ୟରେ ଚୋରାରେ ଆସୁଥିବା ମାତ୍ର ଅଳ୍ପ କିଛି ଟ୍ରକ ଆଳୁ ବ୍ୟବସାୟୀଙ୍କ ଠାରୁ ଆଣି  ସରକାର ଲୋକଙ୍କୁ ଦେଲେ । ହେଲେ ଟ୍ରେନରେ ଆଳୁ ଆସିବା ସହ ୧୦ ଟଙ୍କାରେ ମିଳିବ ବୋଲି କହିଲେ। କିନ୍ତୁ ଆଜି ଯାଏ ଟ୍ରେନର ଆଳୁ ଆସି ପହଞ୍ଚିଲା ନାହିଁ। ସେପଟେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ବସାଇବା ପାଇଁ କହିଲେ। ତାହା ମଧ୍ୟ ହେଲା ନାହିଁ। ଏବେ ପୁଣି ପଞ୍ଜାବ ଓ ୟୁପିରୁ ଆଳୁ ବିହନ ଆଣି ରାଜ୍ୟରେ ଆଳୁ ଉତ୍ପାଦନ ବଢାଇବା ପାଇଁ କୃଷି ମନ୍ତ୍ରୀଙ୍କ ବାହାସ୍ପଟକୁ ନେଇ ବର୍ଷିଛନ୍ତି କୃଷକ ସଙ୍ଗଠନ, ବ୍ୟବସାୟୀ ସଂଘ ଓ ଜନ ସଂଗଠନ । ରାଜ୍ୟର ବିଜେପି ସରକାର ବାରମ୍ବାର ମିଛ କହୁଥିବା ବେଳେ ଏ କଥାକୁ କେମିତି ବିଶ୍ୱାସ କରିହେବ ବୋଲି ପ୍ରଶ୍ନ କରିଛନ୍ତି ସମସ୍ତେ ।

ରାଜ୍ୟରେ ଦୂର ହେଉନି ଆଳୁ ସଙ୍କଟ । ଶିଖର ଛୁଉଁଛି ଦରଦାମ । ମାଳ ମାଳ ସମସ୍ୟା ଭିତରେ ବାରମ୍ବାର ବାହସ୍ଫୋଟ ମାରୁଛନ୍ତି ରାଜ୍ୟସରକାର । ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କ ସହ କରୁଛନ୍ତି ପ୍ରତାରଣା । ପଶ୍ଚିମବଙ୍ଗ ଓଡିଶାକୁ ଆଳୁ ଯୋଗାଣ ବନ୍ଦ କରିବା ପରେ ମାସେରୁ ଅଧିକ ସମୟ ଧରି ରାଜ୍ୟରେ ସୃଷ୍ଟି ହୋଇଥିଲା ଆଳୁ ସଙ୍କଟ। ଏହି ସମସ୍ୟାର ସମାଧାନରେ ବିଫଳ ହୋଇଥିବା ରାଜ୍ୟ ସରକାର ପୁଣି ବାହସ୍ଫୋଟ ମାରିଛନ୍ତି । ରାଜ୍ୟରେ ଆଳୁ ସଙ୍କଟ ଦୂର ପାଇଁ ଦୀର୍ଘ ମିଆଦି ଯୋଜନା କରିବା ଓ ପଞ୍ଜାବ , ୟୁପିରୁ ଆଳୁ ବିହନ ଆଣି ଓଡ଼ିଶାର ଚାଷୀଙ୍କୁ ଯୋଗାଇବା ନେଇ କୃଷିମନ୍ତ୍ରୀଙ୍କ ମନ୍ତବ୍ୟ ପରେ ସରକାରଙ୍କ ଉପରେ ବର୍ଷିଛନ୍ତି କୃଷକ ସଙ୍ଗଠନ।  ହେଲେ ବିଜେପି ସରକାର ବାରବାର ମିଛ କହିଲେ ଚାଷୀ ମାନେ ଏହି କଥାକୁ କେମିତି ବିଶ୍ୱାସ କରିବେ ବୋଲି ପ୍ରଶ୍ନ କରିଛି କୃଷକ ମଜଦୂର ମହାସଂଘ। ଓଡ଼ିଶାରେ ଆଳୁ ସଙ୍କଟ ବେଳେ ଆଳୁ ଟ୍ରେନରେ ଆସିବ, ୧୦ ଟଙ୍କାରେ ମିଳିବ ବୋଲି କହିଥିଲେ ସରକାର । ଏହି ଟ୍ରେନ ଆଳୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ମହାସଂଘ। କୃଷି ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ କରିବେ ବୋଲି କହିଥିଲେ ।  ଏହି ବୈଠକ କେବେ ବସିବ ବୋଲି ମଧ୍ୟ ପ୍ରଶ୍ନ ହୋଇଛି। କୃଷକ ସଙ୍ଗଠନ ଗୁଡିକ ସରକାରଙ୍କ ସହ ଚାଷୀ ସମସ୍ୟା ସମ୍ପର୍କରେ ଆଲୋଚନା ନେଇ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ଏ ଯାଏ ତାହା ହୋଇପାରି ନାହିଁ। ବିଜେପି ସରକାର ଯେଉଁ ରାଜ୍ୟରେ ଅଛି ସେଠି ଚାଷୀ ମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛି ସଂଗଠନ। ସରକାର ଚାଷୀଙ୍କ ସହ ଆଲୋଚନା କରନ୍ତୁ ଓ ବୈଠକ କରାନ୍ତୁ ବୋଲି ଦାବି ହୋଇଛି ।

ସେପଟେ ଆଳୁ ବିହନ ପ୍ରସଙ୍ଗ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ରାଜ୍ୟ ବ୍ୟବସାୟୀ ସଂଘ । ଓଡ଼ିଶାରେ ଗଳି ଆଳୁକୁ ମଞ୍ଜି ଭାବେ ବ୍ୟବହାର କରାଯାଇ ଚାଷ ହେଉଛି। ତେଣୁ ଉନ୍ନତମାନର ପଞ୍ଜାବ ,ୟୁପିରୁ ଆଳୁ ବିହନ ଆଣିବା ପାଇଁ ପୂର୍ବରୁ ବ୍ୟବସାୟୀ ସଂଘ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହାକୁ ହେୟଜ୍ଞାନ କରାଯାଇଥିଲା। ବ୍ୟବସାୟୀ ସଂଘ ଉପରେ ସରକାରଙ୍କ ଭରସା ନାହିଁ।  ଏବେ ରାଜ୍ୟସରକାରଙ୍କ ଆଳୁ ବିହନ ଆଣିବା ନିଷ୍ପତ୍ତି କଥାରେ ନୁହଁ କାମରେ ପ୍ରତିଫଳିତ ହେବା ଦରକାର ବୋଲି କୁହାଯାଇଛି । ସରକାର ବାସ୍ତବତାକୁ ଆସନ୍ତୁ ବୋଲି ନିବେଦନ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ସେପଟେ ସରକାରଙ୍କ ଏଭଳି କଥାକୁ ସମାଲୋଚନା କରିଛି ସିଟିଜେନସ ଫୋରମ। ଦରଦାମ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଏଭଳି ବୟାନ ଦିଆଯାଇଛି ବୋଲି କହିଛି ଫୋରମ।

Latest Posts

Don't Miss