ଦର ଖାଲି କରିଦେବ ଖାଉଟି ପକେଟ

ନନ୍ଦିଘୋଷ ବ୍ୟୁରୋ: ଆଗକୁ ଆଳୁ ଅଡୁଆ ଆହୁରି ବିଗିଡ଼ିବ। ଉତ୍ତରପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସୁନାହିଁ। ବିହାର ଓ ଛତିଶଗଡ଼ ଦେଇ ଓଡ଼ିଶାକୁ ଯେଉଁ ଆଳୁ ଆସୁଥିଲା ତାହା ବନ୍ଦ ହୋଇଯିବ। ଓଡ଼ିଶାକୁ ଲୁଚାଛପାରେ ବି ଆଳୁ ଦେବାକୁ ରୋକଠୋକ୍ ମନା କରିଛନ୍ତି ପଶ୍ଚିମବଂଗର ବ୍ୟବସାୟୀ। ୟୁପି, ପଶ୍ଚିମବଂଗ ଓ ପଂଜାବରୁ ଆଳୁ ନଆସିଲେ ଦର ବଢିବ। ରାଜ୍ୟରେ ଆଳୁ ସଂକଟ ସୃଷ୍ଟି ଦେବ। ରେଟ୍ ଆକାଶଛୁଆଁ ସମ୍ଭାବନା ରହିଛି। ଓଡ଼ିଶା ବଜାରରେ ଆଳୁ ମହଜୁଦ ନଥିବାରୁ ଅନ୍ୟ ରାଜ୍ୟରୁ ଆଳୁ ଆଣିବାକୁ ଅଣ୍ଟା ଭିଡ଼ିଲେଣି ବ୍ୟବସାୟୀ। ଦୂର ରାଜ୍ୟରୁ ଆଳୁ ଆସିଲେ ଖାଉଟିଙ୍କ ପକେଟ ଖାଲି କରିଦେବ ପଖାଳ କଂସାର ଏହି ସୁଆଦିଆ ଆଳୁ ।

ଆଗକୁ ଆଳୁ ସଂକଟ ଆହୁରି ଉତ୍କଟ ହେବ। ଉତ୍ତରପ୍ରଦେଶ ଆଳୁର ଚାହିଦା ଓଡ଼ିଶାରେ ନଥିବାବେଳେ କଲିକତାରୁ ଆଉ ଆସିବନି ଆଳୁ। ଯାହାକୁ ନେଇ ଚିନ୍ତାରେ ବ୍ୟବସାୟୀ। ଏହାକୁ ନେଇ ବଜାରରେ ଦେଖାଦେଇପାରେ ଆଳୁ ସଙ୍କଟ। ପଶ୍ଚିମବଙ୍ଗ ସରକାର ଓ ସେଠାକାର ବ୍ୟବସାୟୀଙ୍କ ମଧ୍ୟରେ ହୋଇପାରୁନି ବୁଝାମଣା। ପଶ୍ଚିମବଂଗ ବ୍ୟବସାୟୀ ସଂଘ ରୋକ୍ ଠୋକ୍ କହି ଦେଇଛି ଓଡ଼ିଶାକୁ ଆଉ ଗୋଟେ ବି ଆଳୁଗାଡ଼ି ଦେବ ନାହିଁ। ସେପଟେ ବିହାର ଓ ଛତିଶଗଡ ଦେଇ କୋଲକାତାରୁ ଯେଉଁ ଆଳୁଗାଡ଼ି ଆସୁଥିଲା ଆଉ ଆସିପାରିବନି। ମାସେ ହେବ ପଶ୍ଚିମବଙ୍ଗ ଆଳୁ ନଦେବାରୁ ଓଡିଶା ବଜାରରେ ଏହାର ପ୍ରଭାବ ପଡ଼ିଥିଲା। ଆଳୁ ଦର କ୍ରମାଗତ ଭାବେ ବଢି ଚାଲିଲା। ଯାହାକୁ ନିୟନ୍ତ୍ରଣ କରିବା ଦିଗରେ ସରକାରୀ କଳ ଫେଲ ମାରିଥିଲା। ହେଲେ କୋଲକାତାରୁ ଆଗକୁ ଯଦି ଆଳୁ ସମ୍ପୂର୍ଣ ବନ୍ଦ ହୋଇଯିବ ତାହେଲେ ଓଡ଼ିଶା ବଜାରରେ ଏହାର ବଡ଼ ପ୍ରଭାବ ପଡ଼ିବ।କାରଣ ଏବେଠୁ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ଭୁବନେଶ୍ୱର ୧ ନମ୍ବର ପରିବା ହାଟରେ ଆଳୁ ଆଉ ମହଜୁଦ ନାହିଁ କହୁଛନ୍ତି ବ୍ୟବସାୟୀ। ଆଉ ଯାହା ଆଳୁ ଅଛି ତାହା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି।

ମାସେ ଧରି ଆଳୁ ସମସ୍ୟାରେ ସାଧାରଣ ଲୋକ ଆଉଟୁ ପାଉଟୁ ହେଉଥିବା ବେଳେ ଆଗକୁ ପୁଣି  ଦେଖାଦେଇପାରେ ଆଳୁ ସଙ୍କଟ। ଉତ୍ତରପ୍ରଦେଶ ଆଳୁ ଉପରେ ଓଡ଼ିଶା ନିର୍ଭର କରିବାକୁ ପଡୁଥିବା ବେଳେ ତାହାର ମାନ, ସ୍ଵାଦ ସହିତ ରେଟ ବି ଅଧିକ ରହିବ କହିଛନ୍ତି ଗ୍ରାହକ। ସେପଟେ ରାଜ୍ୟ ବଣିକ ସଂଘ କହିଛି ଆଳୁ ନ ଆସିଲେ ଅନ୍ୟ ସ୍ଥାନରୁ ଆସିବ। ଯାହା ରେଟ ହେବ ଖାଉଟିଙ୍କୁ ଗ୍ରହଣ କରିବାକୁ ପଡିବ। ଆଳୁ ଦର ନିୟନ୍ତ୍ରଣ ନେଇ ସରକାରଙ୍କ ଅନେକ ପ୍ରୟାସ ପରେ ମଧ୍ୟ ବଜାରରେ ଦର ଖସୁନି। ପଶ୍ଚିମବଂଗ ଓ ଉତ୍ତରପ୍ରଦେଶରୁ ଆଳୁ ନଆସିଲେ ସ୍ଥିତି ଆହୁରି ଅଧିକ ବିଗିଡ଼ିଯିବ ।