ନିର୍ବାଚନ ଘୋଷଣା ପରେ ରାଜ୍ୟ ରାଜନୀତି ଉଷ୍ମ

1 min read

ଭୁବନେଶ୍ବର: ନିର୍ବାଚନ ଘୋଷଣା ପରେ ରାଜ୍ୟ ରାଜନୀତି ଉଷ୍ମ । ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ଯରେ ଜୋରଦାର ହୋଇଛି ଟିକେଟ୍ କସରତ । ନିର୍ବାଚନରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜେଡି ଏକ ପାଖିଆ ବିଜୟୀ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି । ବିକାଶ ଧାରାକୁ ଆଗକୁ ନେଇ ଦଳ ରଣନୀତି ଅନୁସାରେ କାମ କରୁଛି। ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଜୋରରେ ଲାଗିଛନ୍ତି । ସବୁ ଦଳ ପାଇଁ ଟିକେଟ୍ କସରତ ଫୋକସରେ ରହିଛି।

ବାଜିଲା ବିଗୁଲ, ପ୍ରସ୍ତୁତ ଓଡ଼ିଶା । ବିଜେଡିର ଦମ୍ଭୋକ୍ତି- ହେବ ଏକ ପାଖିଆ ବିଜୟ । ବିକାଶକୁ ନେଇ ଦଳ ପ୍ରସ୍ତୁତ କରିଛି ରଣନୀତି । ସୁର କହିଲେ- କଂଗ୍ରେସ ଟିକେଟ ବଣ୍ଟନ ହେବ ବିଳମ୍ବ । ବିଜେପି କହିଲା ଆମେ ପ୍ରସ୍ତୁତ। ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଚଳଚଞ୍ଚଳ ହୋଇଛି ସବୁ ଦଳର ଶିବିର । ସବୁ ଦଳରେ ଜୋରଦାର ହୋଇଛି ଟିକେଟ କସରତ। କାହାକୁ କେଉଁଠି ପ୍ରାର୍ଥୀ କଲେ, ବଡ଼ ବିଜୟ ହେବ, ସେନେଇ କସରତ  ଜୋରଦାର ହୋଇଛି । ନିର୍ବାଚନରେ ବିଜେଡି ଏକ ପାଖିଆ ବିଜୟୀ ହେବ ବୋଲି ଦଳର ବିଧାୟକ ଓ ନେତାମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

୪ ବର୍ଷ ଧରି ନିରନ୍ତର ଭାବେ ଓଡ଼ିଶାବାସୀଙ୍କ ସେବା କରି ବିଜେଡି ତୃଣମୂଳ ସ୍ତରରେ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ବିକାଶକୁ ସବୁବେଳେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମ କରିଚାଲିଛନ୍ତି  । ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ବୋଲି ବିଜେଡି କହିଛି । ସବୁ ବର୍ଗକୁ ସୁରକ୍ଷା ଦେଇ ସାଢ଼େ ୪ କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ବାସ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ୩୦ଟି ଜିଲ୍ଲା ଗସ୍ତ ପରେ ବିଜେଡି ପ୍ରତି ଲୋକଙ୍କ ବିଶ୍ବାସ ବଢ଼ିଛି।

ଗତ ପଞ୍ଚାୟତ, ପୌର ଓ ଉପନିର୍ବାଚନରେ ବିଜେଡି ଏକ ପାଖିଆ ବିଜୟୀ ହୋଇଛି । ଦଳର ଭୋଟ୍ ହାର ବଢ଼ିବା ସହ  ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ କରିଛି ବିଜେଡି । ଏପରି ସ୍ଥିତିରେ ବିଜେଡିକୁ ଟକ୍କର ଦେବା ପାଇଁ ବିରୋଧୀ ଚିନ୍ତାରେ ପଡ଼ିଛନ୍ତି । ତେବେ ପ୍ରତିଦ୍ବନ୍ଦ୍ବିତା ପାଇଁ  ଅଣ୍ଟା ଭିଡ଼ିଛନ୍ତି ଦୁଇ ବିରୋଧୀ। ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଥିବା ବେଳେ କଂଗ୍ରେସ କହିଛି ଦଳୀୟ ଟିକେଟ ବଣ୍ଟନ ବିଳମ୍ବ ହେବ ।

ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ସର୍ଭେ ରିପୋର୍ଟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଆକଳନ କରାଯଇଛି । ବିଜେଡି ମଧ୍ୟ ଓଡ଼ିଶାବାସୀଙ୍କ ଆର୍ଶୀବାଦରେ ୧୨୮ ବିଧାନସଭା ଆସନ  ଓ ୧୮ ଲୋକସଭା ଆସନରେ ବିଜୟ ଲାଭ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ।