ମହାନଦୀ ବିବାଦ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନକୁ ନେଇ ଜୋର ଧରିଲା ରାଜନୀତି

1 min read

ନନ୍ଦିଘୋଷ ବ୍ୟୁରୋ: ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏହାକୁ ନେଇ ଜୋର ଧରିଛି ରାଜନୀତି । ଅଣ ମୌସୁମୀ ସମୟରେ ଓଡ଼ିଶାର ଯେତିକି ପାଣି ଆବଶ୍ୟକ ତାକୁ ପ୍ରଥମେ ସୁନିଶ୍ଚିତ କରାଯାଉ । ନଚେତ ଆଲୋଚନାର କୌଣସି ମୂଲ୍ୟ ନାହିଁ ବୋଲି କହିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ସେପଟେ ପ୍ରମୁଖ ରାଜନୈତିକ ଦଳ ଗୁଡିକ ମଧ୍ୟ ଏ ପ୍ରସଙ୍ଗରେ ସ୍ବର ଉଠାଇଛନ୍ତି ।

ମହାନଦୀ ଜଳବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ ବୈଠକର ମାନେ କ’ଣ ? ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ଦ୍ବାରା କ’ଣ ସୁଫଳ ମିଳିବ ? ପ୍ରଥମେ ଅଣ ମୌସୁମୀ ସମୟରେ ଓଡ଼ିଶାକୁ ଆବଶ୍ୟକ ଥିବା ପାଣି ସୁନିଶ୍ଚିତ କରିବାକୁ ବିରୋଧୀ କରିଛନ୍ତି ଦାବି । ଦୀର୍ଘ ଦିନର ସମସ୍ୟାର ଶୀଘ୍ର ସମାଧାନ ପାଇଁ ସ୍ବର ଉଠାଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ଓଡ଼ିଶାବାସୀ ଆପୋଷ ସମାଧାନର ଆଧାର କ’ଣ ତାହା ଜାଣିବା ଦରକାର । ଗତ ଜୁଲାଇ ୧୭ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ସମ୍ମୁଖରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଆପୋଷ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ଭିତରେ ଆଲୋଚନାର ଅଗ୍ରଗତି ହୋଇଛି ବୋଲି କହିଥିଲେ । ମାତ୍ର ଛତିଶଗଡର ଆଡଭୋକେଟ ଜେନେରାଲ ଏହାକୁ ଖଣ୍ଡନ କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି l ତେଣୁ କିଏ ସତ କହୁଛି, ତାହା ଓଡ଼ିଶାବାସୀଙ୍କ ଭିତରେ ପ୍ରଶ୍ନ ସୃଷ୍ଟି କରିଛି ।

ଆସନ୍ତା ଅଗଷ୍ଟ ୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି । ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସଭା ଭୁବନେଶ୍ୱରରେ ଆୟୋଜିତ ହେବ ବୋଲି କୁହାଯାଇଛି । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମହାନଦୀ ପ୍ରସଙ୍ଗରେ ପ୍ରତିବାଦର ସ୍ବର ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିଫଳିତ ହୋଇଥିଲା । କିନ୍ତୁ କେନ୍ଦ୍ର ସରକାର ଏହାକୁ ଅବହେଳା ଓ ଅଣଦେଖା କରିଥିବା ଅଭିଯୋଗ ହୋଇଛି ।

ମହାନଦୀ ପ୍ରସଙ୍ଗରେ ବାହାବା ନେବା ପାଇଁ ବିଜେପି ମହାନଦୀ କଥା କହୁଥିବା କହିଛି କଂଗ୍ରେସ । ବର୍ତ୍ତମାନ ରାଜ୍ୟର ବିପର୍ଯ୍ୟସ୍ତ ସ୍ଥିତିରୁ ନଜର ହଟାଇବା ପାଇଁ ସରକାର ମହାନଦୀ ସମସ୍ୟାର ସମାଧାନ କଥା କହିଛନ୍ତି । ସେପଟେ ଛତିଶଗଡ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହେଲାଣି । କେତେ ପାଣି କେତେବେଳେ ଛାଡିବେ, କେଉଁ ସମୟରେ କେତେ ପାଣିର ଆବଶ୍ୟକତା ଓ କର୍ଭ ରୁଲ ସମ୍ପର୍କରେ ଛତିଶଗଡ଼ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ମହାନଦୀକୁ ନେଇ ଆଲୋଚନା ହୋଇଥିଲା । ଉଭୟ ମୁଖ୍ୟମନ୍ତ୍ରୀ ଏହାର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିବା କୁହାଯାଇଥିଲା ।