କୋଭିଡ୍‌ ଯୋଦ୍ଧା ଦରମା ନୁହେଁ ଜୀବନ ରକ୍ଷା ପାଇଁ କାମ କରୁଛନ୍ତି: ମୁଖ୍ୟମନ୍ତ୍ରୀ

Memorial To Build In Memory Of Martyred Covid Warrior In Bhubaneswar

ଭୁବନେଶ୍ୱର: କୋଭିଡ୍‌ ମୁକାବିଲା ନେଇ ସବୁ ବିଧାୟକ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ବିଜେଡି ବିଧାୟକଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ବାରମ୍ବାର ହାତ ଧୋଇବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ତେବେ ବୁଧବାର ପୁଣି ମୁଖ୍ୟମନ୍ତ୍ରୀ ସବୁ ଦଳର ବିଧାୟକମାନଙ୍କ ସହ କୋଭିଡ୍‌ ମୁକାବିଲା ନେଇ ଆଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ସବୁ ପଦକ୍ଷେପ ସମ୍ପର୍କରେ ଅବଗତ କରିଛନ୍ତି । ଏଥିସହିତ ଆଗାମୀ ଦିନରେ ସରକାରଙ୍କ ରଣନୀତି ସମ୍ପର୍କରେ ମଧ୍ୟ ବିଧାୟକମାନଙ୍କ ମତାମତ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏହି ମହାମାରୀ ବିରୁଦ୍ଧରେ ଲଢ଼େଇରେ ସମ୍ବଳର କେବେ ବି ଅଭାବ ରହିବ ନାହିଁ । ଲୋକଙ୍କ ଜୀବନ ରକ୍ଷା ହେଉଛି ଆମର ପ୍ରାଥମିକତା । କୋଭିଡ୍‌ ଯୋଦ୍ଧା ଦରମା ପାଇଁ କାମ କରୁ ନାହାନ୍ତି ବରଂ ଜୀବନରକ୍ଷା ପାଇଁ ମିଶନ ଭଳି କାମ କରୁଛନ୍ତି । ସେମାନଙ୍କ ତ୍ୟାଗ ଓ ନିଷ୍ଠା ସାରା ଓଡ଼ିଶା ପାଇଁ ପ୍ରେରଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେମାନଙ୍କ ତ୍ୟାଗରେ ଜଣେ ଜଣେ ଗୋପବୁନ୍ଧୁ ଦାସ, ମଧୁବାବୁ, ମା’ ରମାଦେବୀ ଓ ପାର୍ବତୀ ଗିରି ଭଳି ମହାନ ଦେଶସେବକ ରହିଛନ୍ତି । ସେହି ଯୋଦ୍ଧା ମାନଙ୍କ ତ୍ୟାଗକୁ ଓଡିଆ ଜାତି ସବୁଦିନ ପାଇଁ ମନେ ରଖିବ ଏବଂ ଏହା ଭବିଷତ ପୀଢିକୁ ପ୍ରେରେଣା ଦେବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, କୋଭିଡ୍‌ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥା ହେଉଛନ୍ତି । ଏହି କଷ୍ଟସାଧ୍ୟ ଲଢ଼େଇରେ ସେମାନଙ୍କ ମନୋବଳକୁ ଉଚ୍ଚ ରଖିବା ପାଇଁ ସେମାନଙ୍କ ତ୍ୟାଗକୁ ସମସ୍ତେ ସମ୍ମାନ ଜଣାଇବା ସହିତ ପୁରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ।

Leave a Reply