‘ଚାଷୀଙ୍କ ସହ ରହିଛି ବିଜେଡି, ଦିଲ୍ଲୀରେ ପହଞ୍ଚାଇଛି ତାଙ୍କ ସ୍ୱର’
1 min readଭୁବନେଶ୍ୱର: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା । ସବୁଠି ଚାଷୀଙ୍କ ନ୍ୟାୟ ପାଇଁ ଚିତ୍କାର । ଦିଲ୍ଲୀ ଦରବାରରେ ଖରା-ଶୀତ କାକର ଖାଇ ନିଜ ଦାବି ପୁରଣ ପାଇଁ ପଡ଼ି ରହିଛନ୍ତି ଚାଷୀ । ୧୮ ଦିନରୁ ଅଧିକ ସମୟ ଧରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଧିରେ ଧିରେ ଏହା ସାରା ଦେଶ ମଧ୍ୟରେ ବ୍ୟାପିବାକୁ ଲାଗିଲାଣି । ଏମିତିରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚାଷୀଙ୍କୁ ସମର୍ଥନ କରି ଶୋଭାଯାତ୍ରା କରାଯାଇଥିବା ମଧ୍ୟ ଦେଖାଯାଇଛି ।
ଅନ୍ୟପଟେ ଓଡ଼ିଶା ସରକାର ସବୁବେଳେ ଚାଷୀଙ୍କ ସପକ୍ଷରେ ଥିବା କଥା କହିଛନ୍ତି । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସବୁବେଳେ ଚାଷୀଙ୍କ ହିତ ଚିନ୍ତା କରୁଛନ୍ତି ଓଡ଼ିଶା ସରକାର । ଚାଷୀଙ୍କ ସ୍ୱରକୁ ଦିଲ୍ଲୀରେ ପହଞ୍ଚାଇଛି ବିଜେଡି । ଚାଷୀଙ୍କ ଉନ୍ନତି ପାଇଁ ବିଜେଡି ସବୁବେଳେ ଚେଷ୍ଠିତ । ଚାଷୀଙ୍କ ପ୍ରତି ବିଜେଡି ସମ୍ବେଦନଶୀଳ ।
ସେହିଭଳି ବିଜେଡିର ଆଉ ଜଣେ ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମଧ୍ୟ ଚାଷୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବିଜୁ ଜନତା ଦଳ ସବୁବେଳେ ଚାଷୀଙ୍କ ସହ ରହିଆସିଛି । କେନ୍ଦ୍ର ସରକାର ଚାଷୀଙ୍କ ଦାବି ଅନୁଯାୟୀ ସ୍ୱାମୀନାଥନ କମିଟିର ସୁପାରିଶକୁ ଲାଗୁ କରନ୍ତୁ ବୋଲି ବିଜେଡି ମଧ୍ୟ ଦାବି କରିଛି ।
ପୂର୍ବରୁ ସାଂସଦ ସସ୍ମିତ ପାତ୍ର ମଧ୍ୟ ଚାଷୀଙ୍କ ସପକ୍ଷରେ କହିଥିଲେ । ସ୍ୱାମୀନାଥନ କମିଟିର ସୁପାରିଶକୁ କେନ୍ଦ୍ର ସରକାର ଲାଗୁ କରନ୍ତୁ ବୋଲି ଦାବି କରିଥିଲେ ।