ପୋଲିସ SI ଚାକିରି ଜାଲିଆତି ଘଟଣା ; ଫେକ୍ ସିଣ୍ଡିକେଟର ଖୋଲୁଛି ଗୁମର

1 min read

ଭୁବନେଶ୍ବର : ପୋଲିସ SI ଚାକିରି ଜାଲିଆତି ଘଟଣା। ଫେକ୍ ସିଣ୍ଡିକେଟର ଖୋଲୁଛି ଗୁମର । SI ପରୀକ୍ଷା ଓ ନିଯୁକ୍ତି କେଳେଙ୍କାରୀକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି । ଗତକାଲି କଟକ ବିଦ୍ୟାଧରପୁରର ବିଶ୍ୱରଞ୍ଜନ ବେହେରାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ ସବୁଠାରୁ ସାଙ୍ଘାତିକ ଓ ସଙ୍ଗୀନ ଘଟଣା ହେଉଛି ଅଭିଯୁକ୍ତ ବିଶ୍ୱରଞ୍ଜନ ଜଣେ ପୋଲିସ କର୍ମଚାରୀ । ସେ ସ୍ପେଶାଲ ସିକ୍ୟୁରୀଟି ବାଟାଲିୟନ ବା SSB ଯବାନ । ୨୦୧୮ ବ୍ୟାଚରେ ବିଶ୍ଵରଂଜନକୁ ନିଯୁକ୍ତି ମିଳିଥିଲା । ପୂର୍ବରୁ ଲୋକସେବା ଭବନ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସେ ଡ୍ୟୁଟି କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ଦେଇଥିବା ପ୍ରେସ ରିଲିଜ ମୁତାବକ ବିଶ୍ୱରଞ୍ଜନ ଠକେଇ ସିଣ୍ଡିକେଟର ମେମ୍ବର ବା ଦଲାଲ ଭାବେ କାମ କରୁଥିଲା । ଏଠାରେ ପ୍ରଶ୍ନ ଉଠୁଛି ଦଲାଲ ଜଣଙ୍କ ଯଦି ପୋଲିସ ଡିପାର୍ଟମେଣ୍ଟରେ କାମ କରୁଥିଲେ, ତେବେ ଏହି ଠକେଇ ସିଣ୍ଡିକେଟର ମାଷ୍ଟରମାଇଣ୍ଡ କିଏ ?

ଠକେଇ ସିଣ୍ଡିକେଟରେ ଆଉ କିଛି ପୋଲିସ ଅଧିକାରୀ ନାହାନ୍ତି ତ ? ଯଦି ଅଛନ୍ତି ସେମାନଙ୍କୁ ଧରିବାକୁ କାହିଁକି ପଛଘୁଞ୍ଚା ଦେଉଛି କ୍ରାଇମବ୍ରାଞ୍ଚ ? ପୂର୍ବରୁ ଏହି କେସରେ ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା। ଗତକାଲି ବିଶ୍ୱରଞ୍ଜନଙ୍କୁ ଗିରଫ ପରେ ଗିରଫଦାରୀ ସଂଖ୍ୟା ୧୧୮ରେ ପହଁଚିଛି। ତେବେ ରାଜ୍ୟ ଭିତରେ ଓ ବାହାରେ ନିଯୁକ୍ତି କେଲେଙ୍କାରୀର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଚଢ଼ାଉ ଆରମ୍ଭ ହୋଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନର ମାଲିକଙ୍କୁ ସ୍କାନରକୁ ନିଆଯାଇଛି। ଅଭିଯୁକ୍ତଙ୍କ ସିଡ଼ିଆର ରିପୋର୍ଟ ଯାଞ୍ଚ ହେଉଛି। ଆବଶ୍ୟକସ୍ଥଳେ ଆର୍ଥିକ କାରବାର ନେଇ ବ୍ୟାଙ୍କକୁ ଚିଠି ଲେଖାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ତନାଘନାକୁ ବ୍ୟାପକ କରାଯାଇଛି।୨୦୨୪ ଜୁନରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ପରୀକ୍ଷା ଗୁଡିକର ରିପୋର୍ଟ ଦାଖଲ କରିବାକୁ ସମସ୍ତ ବୋର୍ଡ ଓ ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାଷ୍ଟରମାଇଣ୍ଡ ଧରାପଡିଲେ ଠକେଇ ସିଣ୍ଡିକେଟର ସାଙ୍ଘାତିକ ସତ ପଦାକୁ ଆସିବ । ପୋଲିସ ଭଳି ଏକ ଦାୟିତ୍ବପୂର୍ଣ୍ଣ ବିଭାଗରେ ଏଭଳି ଘଟଣା ପଦାକୁ ଆସିବା ପରେ OPRBର ଅସଲ ମୁଖା ପଦାରେ ପଡିଛି ।

ଏସଆଇ ପରୀକ୍ଷା ମହା ଦୁର୍ନୀତିର ଅନ୍ୟତମ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି ଫେରାର ହୋଇଯାଇଛି ବୋଲି କୁହାଯାଉଛି । କିନ୍ତୁ ଶଙ୍କର ପୃଷ୍ଟି ଦୁଇଦିନ ତଳେ ଭୁବନେଶ୍ବର ରାଜରାସ୍ତାରେ ବୁଲୁଥିଲା ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । OD-07-AU-9777 ଗାଡିରେ ଶଙ୍କର ବୁଲୁଥିବାର ଦେଖାଯାାଇଛି । ଏହି ଗାଡ଼ି ରହିଛି ଶଙ୍କର ପୃଷ୍ଟି ନାଁରେ । ଶଙ୍କର ପୃଷ୍ଟିର ସଂପୂର୍ଣ୍ଣ ଠିକଣା ମଧ୍ୟ ଓନର ଇନଫର୍ମେସନରେ ସ୍ପଷ୍ଟ ଲେଖାଯାଇଛି । ଶଙ୍କର ପୃଷ୍ଟି ହେଉଛି ପଞ୍ଚସଫ୍ଟର ମାଲିକ । ଏସଆଇ ପରୀକ୍ଷା ମହା ଦୁର୍ନୀତିରେ ପଞ୍ଚସଫ୍ଟ ସଂସ୍ଥାର ପ୍ରମୁଖ ଭୂମିକା ରହିଥିବା କୁହାଯାଉଛି । ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଗୁଜରାଟ ଆଇଟିଆଇକୁ ଦାୟିତ୍ବ ଦେଇଥିଲା । ତାପରେ ଏହି ଦାୟିତ୍ବ ସିଲିକନ ଟେକ୍ ଲାବକୁ ମିଳିଥିଲା । ସିଲିକନ ଟେକ୍ ଲାବ୍ ଏହି ଦାୟିତ୍ବ ପଞ୍ଚ ସଫ୍ଟକୁ ସବଲେଟିଙ୍ଗ୍ କରିଥିଲା । ଶଙ୍କର ପୃଷ୍ଟିର ଘର ଗଞ୍ଜାମ ଜିଲ୍ଲାର ହିଞ୍ଜଳିକାଟୁ ନିକଟସ୍ଥ ବ୍ରାହ୍ମଣସାହି ଗ୍ରାମରେ । ବ୍ରହ୍ମପୁରରେ ମଧ୍ୟ ଶଙ୍କର ପୃଷ୍ଟିର ଘର ରହିଛି । କିନ୍ତୁ ସେହି ଘରେ ତାଲା ପଡ଼ିଛି । ଶଙ୍କର ପୃଷ୍ଟି ସଂପର୍କରେ ଆଉ ଏକ ସାଂଘାତିକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସହ ଶଙ୍କର ପୃଷ୍ଟିର ଘନିଷ୍ଠତା ରହିଛି । ମହାରାଷ୍ଟ୍ରର ଏହି ବ୍ୟକ୍ତିଙ୍କର ରାଜ୍ୟ ସରକାରରେ ବିଶେଷ ପ୍ରଭାବ ରହିଛି । ମାଇନ୍ସ ଟେଣ୍ଡରରୁ ଆରମ୍ଭ କରି ବିଭିନ୍ନ କେଳେଙ୍କାରୀରେ ଏହି ବ୍ୟକ୍ତି ଜଣଙ୍କର ସଂପୃକ୍ତି ରହିଛି । ସେ ହିଁ ଶଙ୍କର ପୃଷ୍ଟିକୁ ନେଇ ରାଜ୍ୟ ସରରାରର ବଡ଼ବଡ଼ିଆଙ୍କ ସହ ସାକ୍ଷାତ କରାଇବା ସହ ମଧ୍ୟସ୍ଥତା କରିଥିବା ଆଲୋଚନା ହେଉଛି । ଏହି ମରାଠୀ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କଲେ ବହୁ ତଥ୍ୟ ପଦାକୁ ଆସିବ । ଏହି ବ୍ୟକ୍ତିଙ୍କ ଜରିଆରେ ଶଙ୍କର ପୃଷ୍ଟି ମହାରାଷ୍ଟ୍ରରେ ମଧ୍ୟ ଘର କିଣିଥିବା ଜଣାପଡ଼ିଛି ।

ଏସଆଇ ପରୀକ୍ଷା ମହାଦୁର୍ନୀତିର ଆଉ ଏକ ଏକ୍ସକ୍ଲୁସିଭ ଭିଡିଓ ନନ୍ଦିଘୋଷ ଚିଭି ହାତରେ ଲାଗିଛି । ଦଲାଲ ମୁନ୍ନା ମହାନ୍ତି ନିଜ ସ୍କର୍ପିଓରେ ନେଇ ଛାଡୁଥିବା ଭିଡିଓ ଆମ ହାତରେ ଲାଗିଛି । ସ୍କର୍ପିଓଟି ହେଉଛି ମୁନ୍ନା ମହାନ୍ତିର। ସ୍କର୍ପିଓର ଡିଟେଲ୍ସ ମଧ୍ୟ ଦେଖନ୍ତୁ । ତାର ଗାଡ଼ି ନମ୍ବର ହେଉଛି OD-02 CL-2487 । ମୁନ୍ନା ମହାନ୍ତିର ଘର କଟକ ଜିଲ୍ଲା କଳା ପଥରରେ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ମୁନ୍ନା ମହାନ୍ତି ହେଉଛି ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ । ଭୁବନେଶ୍ବରରୁ ଆଶାୟୀ ପ୍ରାର୍ଥୀଙ୍କୁ ହାଇଦ୍ରାବାଦ ନେବା ଲାଗି ମୁନ୍ନା ମହାନ୍ତି ହିଁ ୩ଟି ବସ ଭଡ଼ା କରିଥିଲା ବୋଲି ସୂଚନା ରହିଛି। ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମୁନ୍ନା ମହାନ୍ତି ଆଶାୟୀ ପ୍ରାର୍ଥୀଙ୍କୁ ଭୁବନେଶ୍ବରର କୌଣସି ଏକ ଓଭରବ୍ରିଜ ନିକଟରେ ଛାଡ଼ି ନିଜ ସ୍କର୍ପିଓରେ ଫେରୁଛି। ଘଟଣା ପଦାକୁ ଆସିବା ପରେ ଶଙ୍କର ପୃଷ୍ଟି ଏବଂ ମୁନ୍ନା ମହାନ୍ତିର ପତ୍ତା ମିଳୁନାହିଁ ।

SI ନିଯୁକ୍ତି ଜାଲିଆତି ନେଇ ପୁଣି ବର୍ଷିଲା ବିଜେଡି। ଏକ ପ୍ରେସମିଟରେ ବିଜେଡିର ନେତା ପ୍ରୀତିରଂଜନ ଘଡ଼େଇ ଅଭିଯୋଗ କରିଛନ୍ତି, ବଡ଼ ମୁଣ୍ଡମାନଙ୍କୁ ଖସାଇବାକୁ ଚେଷ୍ଟା ହେଉଛି। ସେଥିପାଇଁ କେବଳ ଦଲାଲମାନଙ୍କୁ ଗିରଫ କରାଯାଉଛି। ରିଚ୍ ମାଇଣ୍ଡକୁ ପରୀକ୍ଷା ଦାୟିତ୍ଵରୁ ହଟାଇ କାହିଁକି ସିଲିକନ୍ କୁ ଦାୟିତ୍ଵ ଦିଆଯାଇଥିଲା। ଏହି ନିଷ୍ପତ୍ତି ପଛରେ କିଏ ଅଛି। ତାର ନାଁ ଖୁଲାସା କରନ୍ତୁ ବୋଲି ଦାବି କରିଛି ବିଜେଡି। ପ୍ରୀତିରଂଜନ ଦାବି କରିଛନ୍ତି ଉତ୍ତର ରଖନ୍ତୁ ଡିଜି, କ୍ରାଇମବ୍ରାଞ୍ଚ, ଓପିଆରବି। କାହିଁକି ସେମାନେ ଚୁପ୍ ରହୁଛନ୍ତି। ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କୁ ନ୍ୟାୟ ଦିଅନ୍ତୁ। ସେଥିପାଇଁ ସିବିଆଇ ତଦନ୍ତ କରାନ୍ତୁ । ନ ହେଲେ ଏହି ସରକାର ଓ ମୁଖ୍ୟମନ୍ତ୍ରୀ ଏହି ସ୍କାମରେ ସଂପୃକ୍ତ ବୋଲି ଧରାଯିବ। ୨୫୦ କୋଟି ଟଙ୍କାର ସ୍କାମ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରୀତିରଂଜନ ଘଡ଼ାଇ।
ହଠାତ କାହିଁକି ମାର୍ଚ୍ଚ ୭ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଗଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ପୁରା ସଂଗଠିତ ଭାବେ ଦୁର୍ନୀତି କରିବାକୁ, ଏସଆଇ ଚାକିରି ବିକ୍ରି କରିବାକୁ ଏହି ଷଡ଼ଯନ୍ତ୍ର ହୋଇଥିବାର ସଂଗୀନ ଅଭିଯୋଗ ଆଣିଛି ବିଜେଡି।

SI ନିଯୁକ୍ତି ର ଫିଟିବ ଗୁମର । ଶ୍ରୀ Lingaraj Infosol ରେ ହେବ ଚଢ଼ାଉ । କ୍ରାଇମବ୍ରାଞ୍ଚ ଚଢ଼ାଉ ପୂର୍ବରୁ ସେଣ୍ଟର ସିଲ କରିଛି ନନ୍ଦନକାନନ ଥାନା ପୋଲିସ । କ୍ରାଇମବ୍ରାଞ୍ଚ ଉପସ୍ଥିତିରେ ଜବତ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।