ଜାଲିଆତି ଘଟଣା: ସ୍ଥଗିତ ରହିଲା ପୋଲିସ ଏସଆଇ ପରୀକ୍ଷା

1 min read

ନନ୍ଦିଘୋଷ ବ୍ୟୁରୋ: ସ୍ଥଗିତ ରହିଲା ପୋଲିସ ଏସଆଇ ପରୀକ୍ଷା । ଜାଲିଆତି ତଥା କିଛି ଅପ୍ରତ୍ଯାଶିତ ଘଟଣା ଘଟିବା ପରେ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଏହି ପଦକ୍ଷେପ ନେଇଛି । ଆସନ୍ତା ଅକ୍ଟୋବର ୫ ଓ ୭ ତାରିଖରେ ସବୁ ଜିଲ୍ଲାରେ ପୋଲିସ ସବ ଇନସପେକ୍ଟର ପରୀକ୍ଷା ହେବ ବୋଲି ଧାର୍ଯ୍ୟ ହୋଇଥିଲା । ତେବେ ପରୀକ୍ଷା ପୂର୍ବରୁ କିଛି ହଲଚଲ ଦେଖି ବୋର୍ଡ ଅଧ୍ୟକ୍ଷ ଏହାକୁ ସ୍ଥଗିତ ଘୋଷଣା କରିଛନ୍ତି । ଏ ନେଇ ପ୍ରେସ ବିଜ୍ଞପ୍ତି ମଧ୍ଯ ଜାରି ହୋଇଛି । ଖୁବଶୀଘ୍ର ସାନି ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି ।

ବଡ଼ କଥା ହେଲା ବ୍ରହ୍ମପୁର ପୋଲିସ ଆନ୍ଧ୍ର ଶ୍ରୀକାକୁଲମରୁ ୧୨୦ ପରୀକ୍ଷାର୍ଥୀଙ୍କୁ ଧରିବା ପରେ ବୋର୍ଡ ସଜାଗ ହୋଇଉଠିଥିଲା । ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ଏହି ୧୨୦ ପରୀକ୍ଷାର୍ଥୀଙ୍କୁ ହାଇଦ୍ରାବାଦ ନିଆଯାଉଥିଲା । ତେବେ ପୋଲିସ ଖବର ପାଇ ସେମାନଙ୍କୁ ଶ୍ରୀକାକୁଲମରେ ଧରି ବ୍ରହ୍ମପୁର ଆଣି ପଚରାଉଚରା କରୁଛି । ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା ସେମାନଙ୍କୁ ଜାଲିଆତି ପାଇଁ ନେଉଥିଲା ବୋଲି ସୂଚନା ମିଳିଥିଲା । ଏହାପରେ ବୋର୍ଡ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ମଧ୍ଯ ଜାରି କରାଗଲା । ସିପିଏସଇ-୨୦୨୪ ସବୁ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଏହି ନମ୍ବର ଜାରି ହୋଇଥିଲା । ନିଜ ଅଭିଯୋଗ 9040493223 ନମ୍ବରରେ ଜଣାଇବା ପାଇଁ ଓପିଆରବି ନିବେଦନ କରିଥିଲା । ହେଲେ କିଛି ସମୟ ପରେ ପରୀକ୍ଷା ସ୍ଥଗିତ ଲାଗି ଘୋଷଣା କରିଥିଲା ।