ପିପୁଲ୍ସ ଫ୍ରେଣ୍ଡଲି ହୋଇପାରୁନି ଓଡ଼ିଶା ପୋଲିସ: ୧୫ରୁ ୮ ହଜାର ମାମଲା କେବଳ ପୋଲିସ ବିରୋଧରେ

1 min read

ଭୁବନେଶ୍ବର: ପିପୁଲ୍ସ ଫ୍ରେଣ୍ଡଲି ହୋଇପାରୁନି ପୋଲିସ୍ । ରାଜ୍ୟ ମାନବାଧିକାର କମିଶନରେ ପଡିରହିଥିବା ୧୫ ହଜାର ମାମଲା ମଧ୍ୟରୁ ୮ ହଜାର ମାମଲା କେବଳ ପୋଲିସ ବିରୋଧରେ ବୋଲି ଜଣାପଡିଛି । ୨୦୨୦ ମସିହାରେ ରୁଜୁ ୨ ହଜାର ୯୧୦ଟି ମାମଲା ମଧ୍ୟରୁ ପୋଲିସ ବିରୋଧରେ ୭ ଶହରୁ ଊର୍ଦ୍ଧ୍ବ ମାମଲା ଥିବା ଜଣାପଡିଛି । ସେହିପରି ୨୦୨୧ ଓ ୨୦୨୨ ରେ ମଧ୍ୟ ପୋଲିସ ବିରୋଧରେ ଅଭିଯୋଗର ଫର୍ଦ୍ଦ ବଢିଛି । ଆସନ୍ତାକାଲି ମାନବାଧିକାର ଦିବସ ଥିବା ବେଳେ ଦେଖନ୍ତୁ ଏହି ରିପୋର୍ଟ ।

ଟୁଇନ ସିଟି ଭୁବନେଶ୍ବର ଓ କଟକରେ ୮ ବର୍ଷରେ ୯୯ ଅଭିଯୋଗ । ୭୪ ଇନ୍ସପେକ୍ଟରଙ୍କ ନାଁରେ ପିଟିସନ୍ । ମାନବାଧିକାର ଦିବସ ପୂର୍ବରୁ ବଢିଛି ଚିନ୍ତା । କିଛିଦିନ ତଳେ ଭରତପୁର ଥାନା ପାଇଁ ସାରା ଦେଶରେ ବଦନାମର ବୋଝ ମୁଣ୍ଡାଇଥିଲା କମିଶନରେଟ ପୋଲିସ । ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବିଳମ୍ବିତ ରାତିରେ ଫେରୁଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ରୋଡ଼ ରୋମିଓ । ଏ ନେଇ ସେ ଥାନାକୁ ଯାଇଥିବା ବେଳେ, ଅଭିଯୋଗ ମୁତାବକ ତାଙ୍କୁ ଥାନାଧିକାରୀ ଦେଇଥିଲେ ଯୌନ ନିର୍ଯାତନା । ପ୍ରବଳ ତୁମ୍ବିତୋଫାନ ପରେ ବର୍ତ୍ତମାନ କମିଶନ ଦ୍ୱାରା ଏହି ଘଟଣା ବିଚରାଧୀନ ରହିଛି । OHRCରେ ନ୍ୟାୟ ଅପେକ୍ଷାରେ ୧୫ ହଜାର ମାମଲା ଗଡୁଥିବା ବେଳେ ସେଥିମଧ୍ୟରୁ ୮ ହଜାର ମାମଲା କେବଳ ପୋଲିସ ବିରୋଧରେ । ୧୩ଟି ହାଜତ ମୃତ୍ୟୁ ଓ ଏନକାଉଣ୍ଟର ମାମଲାରେ ମୃତକଙ୍କ ପରିବାରକୁ ୨୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ଦିଆଯାଇଛି । ସେହିପରି ଅଭିଯୁକ୍ତଙ୍କୁ ଅମାନୁଷିକ ଭାବେ ଦଣ୍ଡ ଦେବା ଓ ପରିବାର ଲୋକଙ୍କୁ ମାନସିକ ଅତ୍ୟାଚାର କରିବା ଘଟଣାରେ ୧୭ ଶହ କେସ ବିଚାରାଧୀନ ରହିଛି ।

କମିଶନରେଟ ପୋଲିସରେ ମଧ୍ୟ ସମଦଶା ଦେଖିବାକୁ ମିଳିଛି । ବିଗତ ୮ ବର୍ଷ ମଧ୍ୟରେ ପୋଲିସ ବିପକ୍ଷରେ ଆସିଛି ୯୦ ଅଭିଯୋଗ । ତଦନ୍ତ ନହୋଇ ଏଯାଏଁ ପଡି ରହିଛି ୩୯ ମାମଲା । ସେହିପରି ଟୁଇନ ସିଟିର ୭୪ ଜଣ ଇନ୍ସପେକ୍ଟରଙ୍କ ବିରୋଧରେ ପିଟିସନ ପଡିଛି । ବାରମ୍ବାର ପୋଲିସ ଡିଜି ଲୋକଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଥାନାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତଳିଆ କର୍ମଚାରୀଙ୍କ ବ୍ୟବହାର ଲୋକଙ୍କୁ ଅତିଷ୍ଠ କରୁଥିବା ଦେଖାଯାଇଛି । ଏଣୁ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ଓ ଅଭିଯୁକ୍ତଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ହେଲେ ପୋଲିସ ତାର କାର୍ଯ୍ୟଶୈଳୀ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା ଆବଶ୍ଯକ ବୋଲି କହିଛନ୍ତି ମାନବାଧିକାର କାର୍ମୀ ।

ନଜର ପକାନ୍ତୁ