ଆପଣ ଶୀଘ୍ର ପହଞ୍ଚିବା ଅପେକ୍ଷା କେହି ଡାକ୍ତରଖାନାରେ ଠିକ୍ ସମୟରେ ପହଞ୍ଚିବା ଗୁରୁତ୍ୱପୂର୍ଣ୍ଣ

1 min read

ଭୁବନେଶ୍ୱର: ଫ୍ରି ଲେଫ୍ଟ ( Free Left) ପରେ ଏବେ ଗିଭ୍ ଓ୍ୱେ ଟୁ ଆମ୍ୱୁଲାନ୍ସ (Give Way To Ambulance) ଅଭିଯାନ ଚଳାଇଛି ଓଡ଼ିଶା ପୋଲିସ । ଉଭୟ ଅଭିଯାନରେ ଜରୁରୀକାଳୀନ ସେବାରେ ଥିବା ଯାନବାହନକୁ ଛାଡ଼ିବା ପାଇଁ ରାସ୍ତାର ବାମ ପାର୍ଶ୍ୱ ଫାଙ୍କା ରଖିବାକୁ ଅପିଲ କରାଯାଇଛି । ଏହି ଅଭିଯାନକୁ ଅଧିକ ଜୋରଦାର କରିବା ସହ ସୋସିଆଲ୍ ମିଡିଆରେ ମଧ୍ୟ ଲୋକଙ୍କୁ ଅପିଲ କରିଛି ଓଡ଼ିଶା ପୋଲିସ । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏ ନେଇ ଲୋକଙ୍କୁ ସଚେତନ କରିବା ସହ ଏକ ଟ୍ୱିଟ୍ ପୋଷ୍ଟ କରିଛି । ଯେଉଁଥିରେ ‘ଆପଣ ଶୀଘ୍ର ଘରେ ପହଞ୍ଚିବା ଅପେକ୍ଷା କେହିଜଣେ ସଠିକ୍ ସମୟରେ ଡାକ୍ତରଖାନା ପହଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂଣ୍ଣ, ଦୟାକରି ଆମ୍ୱୁଲାନ୍ସ ଗତିରୋଧ କରନ୍ତୁ ନାହିଁ’ ବୋଲି ଲେଖାଯାଇଛି ।

ପୂର୍ବରୁ କମିଶନରେଟ୍ ପୋଲିସ ଏରିଆର ଟ୍ରାଫିକ୍ ଡିସିପି ଏସ୍ ସୁଶ୍ରୀ ମଧ୍ୟ ଦାୟିତ୍ୱ ଗ୍ରହଣ ପରେ ଲେଫ୍ଟ ଫ୍ରି ଓ୍ୱେ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ବିଭିନ୍ନ ଛକ ଜାଗାମାନଙ୍କରେ ବୁଲିବା ସହ ଲେଫ୍ଟ ଫ୍ରି ଓ୍ୱେ ପାଇଁ  ଲୋକଙ୍କୁ ନିବେଦନ କରିଥିଲେ । କିଛି ଗୁରୁତ୍ୱପୂର୍ଣ୍ଣ ଛକ ଜାଗାମାନଙ୍କରେ ପ୍ରବଳ ଭିଡ଼ ହେଉଥିବା ବେଳେ ରାସ୍ତାର ବାମ ପାର୍ଶ୍ୱକୁ ପାଙ୍କା ରଖିବାର ଆବଶ୍ୟକତା ରହିଥିବା କହିଥିଲେ । ଏବଂ ନିୟମ ଅବମାନନା କଲେ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।