ଖରିଫ ଋତୁ ଭଳି ରବି ଋତୁରେ ବି ଧାନ କିଣାରେ ଅବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଖରିଫ ଋତୁ ଭଳି ରବି ଋତୁରେ ବି ଧାନ କିଣାରେ ଅବ୍ୟବସ୍ଥା। ବିଲରୁ ଧାନ ସଂଗ୍ରହ ଚାଲିଥିବା ବେଳେ ମଣ୍ଡି ବନ୍ଦ କରିବାକୁ ସରକାର ଯୋଜନା କଲେଣି। ଚାଷୀ ଟୋକନ ଧରି ବସିଛନ୍ତି, ହେଲେ ଧାନ ବିକିବାକୁ ସକ୍ଷମ ହେଉନାହାନ୍ତି। ମଣ୍ଡିରେ ବର୍ଷାରେ ଧାନ ଭିଜୁଥିବା ବେଳେ ଏହାର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ। ଏଭଳି ବ୍ୟବସ୍ଥା ଲାଗି ରହିଲେ ଚାଷୀ ଅଧିକ ହଇରାଣ ହେବେ। ଜୁନ୍ ୩୦ ସୁଦ୍ଧା ମଣ୍ଡି ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଜୁଲାଇ ୧୫ ଯାଏଁ ବଢାଇବାକୁ ବିଜେଡ଼ି ଦାବି କରିଛି। ଚାଷୀଙ୍କ ଧାନ ସରକାର ନ କିଣିଲେ ରାଜରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ଚେତାବନୀ ଦେଇଛି। ବିଭାଗୀୟ ମନ୍ତ୍ରୀ କହିଛନ୍ତି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଆମେ ଧାନ ଶୀଘ୍ର ଉଠାଇବାକୁ ନିଷ୍ପତ୍ତି ନେଇଛୁ।

ଧାନ କିଣାରେ ପୁଣି ବିଭ୍ରାଟ। ରବି ଭଳି ଖରିଫରେ ବି ରୀତିମତ କଟନୀ ଛଟନୀ। ଧାନ କିଣା ଅବ୍ୟବସ୍ଥା ଦୂର ନ ହେଲେ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଦେଇଛି ଚେତାବନୀ। ଚାଷୀଙ୍କ ଧାନ ସରକାର ନ ନେଲେ ମନ୍ତ୍ରୀଙ୍କୁ ଗାଁରେ ପୁରାଇଦେବୁନି ବୋଲି ବିଜେଡ଼ି କହିଛି। ମନ୍ତ୍ରୀ କହୁଛନ୍ତି ବର୍ଷା ହେଲେ ଆମେ କଣ କରିବୁ, ଏହା ପ୍ରକୃତିର ନିୟମ । ବର୍ଷା ଯୋଗୁଁ ଧାନ ଅମଳରେ  ଚାଷୀ ବ୍ୟସ୍ତ ଥିବା ବେଳେ ଧାନ କିଣା ନେଇ ଜୁନ୍ ୩୦ ଯାଏଁ ସରକାରଙ୍କ ଅବଧି ଅଡ଼ୁଆରେ ପକାଇଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡ଼ି। ଜୁନ୍ ୩୦ ଯାଏଁ ଅବଧି ଥିବା ବେଳେ ଏବେଠାରୁ ଅନେକ ମଣ୍ଡିରେ ତାଲା ପଡ଼ିଲାଣି। ମଣ୍ଡିକୁ ଧାନ ନ ଆଣିବାକୁ ଚାଷୀଙ୍କୁ କୁହାଗଲାଣି। ଅବଧି ଜୁଲାଇ ୧୫ ଯାଏଁ ବୃଦ୍ଧି କରିବାକୁ ବିଜେଡ଼ି ଦାବି କରିଛି। ଧାନ କିଣା ଅବ୍ୟବସ୍ଥା ଦୂର ନ ହେଲେ କଂଗ୍ରେସ ବି ଆନ୍ଦୋଳନ କରିବ ବୋଲି କହିଛି।

ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି, ଖରିଫ ଋତୁରେ ୭୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା। ରବି ଋତୁରେ ୧୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବୁ। ଆମର ଉଦେଶ୍ୟ ହେଉଛି ଚାଷୀଙ୍କର ଟୋକନ ଲାପସ  ନ ହେଉ। ଚାଷୀ ହଇରାଣ ନ ହୁଅନ୍ତୁ। ବର୍ଷା ଦିନରେ ବର୍ଷା ହେବ, ଆମେ କଣ କରିପାରିବୁ, ଏହା ପ୍ରକୃତିର ନିୟମ। ବର୍ଷା ହେଲେ ଧାନ ଉଠି ପାରିବ ନାହିଁ। ଧାନ ଓଦା ହୋଇଯିବ କେମିତି ଉଠାଇବୁ। ଧାନ ଓଦା ହୋଇଗଲେ  ଆଦ୍ରତା ବଢ଼ିଯିବ। ଜୁନ ୩୦ ସୁଦ୍ଧା  ସବୁ ଧାନ ଉଠାଇଦେବୁ। ଧାନ କିଣା ଏବେ ଜୋରସୋର ଚାଲିଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।  ଧାନରେ କ୍ଵିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡ଼ି ପ୍ରଦାନ କରି ସରକାର ବାହାବା ନେବାକୁ ବସିଥିବା ବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଚାଷୀଙ୍କ ଅବସ୍ଥା ସଙ୍ଗୀନ। ପ୍ରତି କ୍ଵିଣ୍ଟାଲରେ ୧୫ରୁ ୨୦ କେଜି କଟନୀଛଟନୀ ହେଉଛି। ଧାନର ସୁରକ୍ଷା ପାଇଁ ମଣ୍ଡିରେ କିଛି ବ୍ୟବସ୍ଥା ନାହିଁ। ତା ସାଙ୍ଗକୁ ଧାନ କିଣାର ସୀମିତ ଅବଧି ଚାଷୀମାନଙ୍କୁ ଚିନ୍ତାରେ ପକାଇଛି।