ଆଜିଠୁ ଆରମ୍ଭ ଯୁକ୍ତଦୁଇ ଖାତାଦେଖା, ମେ ୩୦ ସୁଦ୍ଧା ଆସିବ ଫଳାଫଳ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଯୁକ୍ତଦୁଇ ଖାତାଦେଖା। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୨୩ ଯାଏ ଓ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ମେ ୭ ଯାଏ ଚାଲିବ। ଏପଟେ ଟାବୁଲେସନ୍ ପ୍ରକ୍ରିୟାକୁ ଯିବ ସ୍କୁଲ ଓ ଗଣଶିକ୍ଷା ବିଭାଗ। ମେ ୨୫ ସୁଦ୍ଧା ଟାବୁଲେସନ୍ ସାରି ମେ ୩୦ ସୁଦ୍ଧା ଫଳ ପ୍ରକାଶ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ଚଳିତ ଥର ୬୫ଟି ଅଫଲାଇନ୍ ଓ ୩୯ ଟି ଅନଲାଇନ୍ କେନ୍ଦ୍ରରେ ଖାତା ଦେଖାଯିବ। ସିସିଟିଭି ସ୍କାନରରେ ରହିବ ମୂଲ୍ୟାୟନ କେନ୍ଦ୍ର। ଅନଲାଇନ୍ ମୋଡରେ ବିଜ୍ଞାନ, ବାଣିଜ୍ୟ ଓ କଳାର ଇଂରାଜୀ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। ସ୍କାନ ହୋଇଥିବା ଖାତାକୁ  ସିକ୍ରେଟ୍ କୋଡ ଜରିଆରେ ମୂଲ୍ୟାୟନ କରିବେ ଅଧ୍ୟାପକ ।

ଅନ୍ୟ ଖାତାଗୁଡ଼ିକ ପାରମ୍ପରିକ ଭାବେ ମୂଲ୍ୟାୟନ କରାଯିବ । ମୂଲ୍ୟାୟନକୁ ସେଣ୍ଟର ମୁଖ୍ୟ ତଦାରଖ କରିବେ । ମାଟ୍ରିକ୍ ସହ ଯୁକ୍ତ ଦୁଇ ପରୀକ୍ଷାଫଳ ମଧ୍ୟ ଶୀଘ୍ର ପ୍ରକାଶ ପାଇବା ସମ୍ଭାବନା ଦେଖାଦେଇଛି । ଏପ୍ରିଲ ୧୫ ସୁଦ୍ଧା ମାଟ୍ରିକ ମୂଲ୍ୟାୟନ ସାରି ମାସ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା କରୁଥିବା ବେଳେ ଯୁକ୍ତଦୁଇ ପରୀକ୍ଷାଫଳ ମେ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ । ଫଳରେ ଜୁନରୁ ଜୁଲାଇ ଭିତରେ ଏକାଦଶ ଓ ଯୁକ୍ତ ତିନି କ୍ଲାସ୍ ଆରମ୍ଭ ହେବ । ଠିକ୍ ସମୟରେ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଦେଇ ଟେକ୍ନିକାଲ ପାଠ ବି ପଢ଼ି ପାରିବେ।