ପିଜିଆଇ ସର୍ଭେରେ ଓଡ଼ିଶାକୁ ସାର୍ଟିଫିକେଟ: ୨୦୧୯-୨୦ରେ ସ୍କୁଲ ଶିକ୍ଷାରେ ଆଖିଦୃଶିଆ ଉନ୍ନତି

1 min read

ଭୁବନେଶ୍ୱର: ବିଦ୍ୟାଳୟ ଶିକ୍ଷାରେ ଓଡିଶାର ପ୍ରଦର୍ଶନରେ ଆଖିଦୃଶିଆ ଉନ୍ନତି ଘଟିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୯-୨୦ର ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ସର୍ଭେରୁ ଜଣାପଡିଛି । ୨୦୧୭-୧୮ରେ ପ୍ରଥମ ଥର ପାଇଁ ପିଜିଆଇ ଇଣ୍ଡେକ୍ସ ପ୍ରସ୍ତୁତ ହୋଇଥିବା ବେଳେ ପରବର୍ତ୍ତୀ ଇଣ୍ଡେକ୍ସରେ ଓଡିଶାର ପ୍ରଦର୍ଶନରେ ୧୦ରୁ ୨୦ ପ୍ରତିଶତ ଉନ୍ନତି ହୋଇଛି । ଶିକ୍ଷାଦାନ ମାନରେ ଉନ୍ନତି, ଭିତ୍ତିଭୂମି, ସୁଯୋଗ ସୃଷ୍ଟି ଓ ସରକାରୀ ପ୍ରକ୍ରିୟା ଭଳି ୫ଟି କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନରେ ଉନ୍ନତି ହୋଇଛି ।

ସ୍କୁଲ ଶିକ୍ଷାରେ ଥିବା ଅଭାବ ଅସୁବିଧାକୁ ଦୂର କରିବାକୁ ୨୦୧୭-୧୮ରେ ଆରମ୍ଭ ହୋଇଥିଲା ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ । ଗତ ତିନି ବର୍ଷ ଧରି ଏହି ଇଣ୍ଡେକ୍ସ ପ୍ରସ୍ତୁତ ହେଉଥିବା ବେଳେ ଏଥର ଓଡିଶାର ପ୍ରଦର୍ଶନ ଉତ୍ସାହଜନକ ରହିଛି । ବିଦ୍ୟାଳୟ ଶିକ୍ଷାରେ ଭିତ୍ତିଭୂମି, ଶିକ୍ଷା ମାନଦଣ୍ଡ ଆଦି ୭୦ଟି ସୂଚକାଙ୍କକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ତଦନୁଯାୟୀ ଓଡିଶା ୨୦୧୭-୧୮ରେ ଓଡିଶା ୭୦୧-୭୫୦ ମଧ୍ୟରେ ସ୍କୋର କରି ଗ୍ରେଡ ଥ୍ରୀରେ ଥିଲା । ୨୦୧୯-୨୦ରେ କିନ୍ତୁ ଓଡିଶାର ସ୍କୋର ୮୦୧ରୁ ୮୫୦ ରାଙ୍କକୁ ବିଢିଛି ।

ପିଜିଆଇର ଭିତ୍ତିଭୂମି ଓ ସୁବିଧା ଡୋମେନରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ୧୦ ପ୍ରତିଶତ ଅର୍ଥାତ ୧୫ ପଏଣ୍ଟ କିମ୍ବା ତତୋଧିକ ସୁଧାର ପ୍ରଦର୍ଶନ କରିଛନ୍ତି । ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ଏବଂ ଓଡ଼ିଶା ୨୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ପ୍ରଦର୍ଶନରେ ସୁଧାର ଆଣିପାରିଛନ୍ତି । ସେହିପରି ପିଜିଆଇର ଇକ୍ୟୁଟି ଡୋମେନରେ ଅରୁଣାଚଳ ପ୍ରଦେଶ, ମଣିପୁର ଓ ଓଡ଼ିଶା ୧୦ ପ୍ରତିଶତ ପ୍ରଦର୍ଶନ ସୁଧାର କରିଛନ୍ତି । ପ୍ରଶାସନିକ ପ୍ରକ୍ରିୟାରେ ଦୁଇ ବର୍ଷରେ ୩୬ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୭-୧୮ରେ ୨୨୩ ପଏଣ୍ଟ ତୁଳନାରେ ୨୦୧୯-୨୦ରେ ୩୦୪ ପଏଣ୍ଟ ପାଇଛି ଓଡିଶା । ନିୟମିତ ଭାବେ ସ୍କୁଲ ପରିଚାଳନା କମିଟି, ଅଭିଭାବକଙ୍କ ସହ ନିୟମିତ ଯୋଗାଯୋଗ ଦ୍ୱାରା ଏହି ଲକ୍ଷ୍ୟ ସାଧିତ ହୋଇଛି । ମୋ ସ୍କୁଲ ଯୋଜନା ଏଦିଗରେ ବ୍ୟାପକ ସଂସ୍କାର ଆଣିବାରେ ସକ୍ଷମ ହୋଇଛି ।

ଲର୍ଣ୍ଣିଂ ଆଉଟକମ ଓ ଶିକ୍ଷା ମାନଦଣ୍ଡରେ ୨୦୧୭-୧୮ରେ ରାଜ୍ୟକୁ ୧୩୪ ପଏଣ୍ଟ ମିଳିଥିବା ବେଳେ ୨୦୧୯-୨୦ରେ ୧୩୮ ପଏଣ୍ଟ ମିଳିଛି । ଶିକ୍ଷକଙ୍କୁ ନିୟମିତ ଭାବେ ପାଠ୍ୟ ଉପକରଣ ଯୋଗାଇଦିଆଯିବାରୁ ଲର୍ଣ୍ଣିଂ ଆଉଟକମ ଓ ଶିକ୍ଷା ମାନଦଣ୍ଡରେ ଉନ୍ନତି ହୋଇଛି । ଭିତ୍ତିଭୂମି କ୍ଷେତ୍ରରେ ଓଡିଶା ୧୦୯ ପଏଣ୍ଟ ସ୍କୋର କରିଛି । ୨୦୧୭-୧୮ରେ ଓଡିଶାର ସ୍କୋର ଥିଲା ୭୨ । ଓଡିଶା ଆଦର୍ଶ ବିଦ୍ୟାଳୟ ଏଦିଗରେ ରୋଲ ମଡେଲ ହୋଇଛି । ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ସ୍କୁଲ ପ୍ରତିଷ୍ଠା କରାଯାଇଛି । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଛାତ୍ରାବାସ ଦ୍ବାରା ଅଧିକ ସଂଖ୍ୟାରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା ଦ୍ବାରା ଶିକ୍ଷାଦାନ ବ୍ୟବସ୍ଥା ବ୍ୟାପକ ହୋଇଛି ।

ଛାତ୍ରଛାତ୍ରୀଙ୍କ ହାତ ପାହାନ୍ତାରେ ପହଁଚିଛି ସ୍କୁଲ । ମୁଖ୍ୟତଃ ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରାବାସ ଦ୍ୱାରା ସ୍କୁଲ ଏନରୋଲମେଣ୍ଟରେ ଉନ୍ନତି ଆସିଛି । ଇକ୍ୟୁଟି କ୍ଷେତ୍ରରେ ଓଡିଶାର ସ୍କୋର ୨୧୪ରୁ ୨୧୯କୁ ବୃଦ୍ଧି ପାଇଛି । ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାରେ ଛାତ୍ରୀ ପାଠପଢା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ପଂଚାୟତ ସ୍ତରରେ ବ୍ୟାପକ ସଚେତନତା ଦ୍ବାରା ବାଳିକା ଶିକ୍ଷାକୁ ନେଇଥିବା ଅନ୍ଧବିଶ୍ୱାସ ଦୂର ହୋଇଛି । ବିଦ୍ୟାଳୟ ଶିକ୍ଷା ପାଇଁ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ଅନ୍ୟାନ ପଛୁଆ ବର୍ଗର ଛାତ୍ରୀଛାତ୍ରୀଙ୍କ ନାମଲେଖା ସମାନ୍ତରାଳ ଭାବେ ବୃଦ୍ଧି ପାଇଛି । ଏହି ପାଞ୍ଚଟି କ୍ଷେତ୍ରରେ ଓଡିଶାର ଉନ୍ନତ ପ୍ରଦର୍ଶନ ଯୋଗୁଁ ରାଜ୍ୟ ଗ୍ରେଡ ଥ୍ରୀରୁ ଗ୍ରେଡ ୱାନକୁ ଲମ୍ଫ ଦେଇଛି ।

Leave a Reply