spot_img

Latest Posts

ପିସିସି ପ୍ରଭାରୀଙ୍କ ନିଶାନାରେ ବିଜେପି: ‘ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛି ବିଜେପି’

ଭୁବନେଶ୍ୱର: ପରୀ ମୃତ୍ୟୁ ପ୍ରସଙ୍ଗରେ କଂଗ୍ରେସ- ବିଜେପି ସମ୍ମୁଖ ଯୁଦ୍ଧ । ବିଜେପି ଉପରେ ପିସିସି ପ୍ରଭାରୀ ଜୋରଦାର୍‌ ବର୍ଷିଛନ୍ତି । କୋର୍ଟ ମନିଟରିଂରେ ଏସ୍‌ଆଇଟି ତଦନ୍ତ କରାଯାଇଥିବାରୁ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି କଂଗ୍ରେସ କହିଛି । ବିଜେପି ମଧ୍ୟ ଏହାର କଡ଼ା ଉତ୍ତର ରଖିଛି।

ପରୀ ମୃତ୍ୟୁ ଘଟଣାରେ କଂଗ୍ରେସର ଟାର୍ଗେଟ୍‌ରେ ରାଜ୍ୟ ବିଜେପି  । ପିସିସି ପ୍ରଭାରୀଙ୍କ ନିଶାନାରେ ବିଜେପି। ଦଳର ଆଭିମୁଖ୍ୟ  ନେଇ ଲମ୍ବା ତଥ୍ୟ ଦେଇ କାଠଗଡ଼ାରେ ବିଜେପିକୁ ଛିଡ଼ା କରିଛି କଂଗ୍ରେସ  । ଦଳ କହିଛି, ପରୀ ମୃତ୍ୟୁ ଘଟଣାରେ ଆଗେ ଆନ୍ଦୋଳନ କରିଥିଲା ଓ ଏସଆଇଟି ତଦନ୍ତ ଦ୍ୱାରା ହିଁ ସଠିକ ତଥ୍ୟ ପଦାକୁ ଆସିବ  । ନୟାଗଡ଼ ଯଦୁପୁର ପରୀ ଘରକୁ ଗସ୍ତ ପରେ ପିସିସି ପ୍ରଭାରୀ ।

ଚେଲ୍ଲାକୁମାର ବିଜେଡି- ବିଜେପି ସମ୍ପର୍କକୁ ନେଇ ବର୍ଷିଛନ୍ତି। ହାଇକୋର୍ଟ ଦ୍ୱାରା ମନିଟରିଂ ତଦନ୍ତ ପାଇଁ କଂଗ୍ରେସ ଦାବି କରିଥିଲା। ତାହା ପୂରା ହୋଇଛି ଓ ପରୀକୁ ନ୍ୟାୟ ମିଳିବ । ବିଜେପି ପ୍ରସଙ୍ଗକୁ ଡାଇଭର୍ଟ କରିବାକୁ ଓ ଦୋଷୀକୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରୁଛି ବୋଲି ଚେଲ୍ଲାକୁମାର ଅଭିଯୋଗ କରିଛନ୍ତି। ଏପରିକି ସିବିଆଇ ତଦନ୍ତ ଦାବି କରୁଥିବା ବିଜେପିକୁ ପ୍ରଶ୍ନ କରିଛନ୍ତି ଚେଲ୍ଲା। ପରୀ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ବିଜେପିକୁ ଆହ୍ୱାନ ଦେଇଛି କଂଗ୍ରେସ। ଏସଆଇଟି ତଦନ୍ତ ହିଁ ଠିକ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

 କଂଗ୍ରେସ ଅଭିଯୋଗର ପାଲଟା ଜବାବ ରଖିଛି ବିଜେପି। କିଏ କାହା ସହିତ ସମ୍ପର୍କରେ ଅଛି, ତାକୁ ନେଇ ସମାନ ଅଭିଯୋଗ କଂଗ୍ରେସ ବିରୋଧରେ ଆଣିଛି ବିଜେପି । ପରୀ ପ୍ରସଙ୍ଗରେ ପୂର୍ବ ଦାବିକୁ ଦୋହରାଇଛନ୍ତି ବିରୋଧୀ ଦଳ ନେତା  । ସେପଟେ ଉଭୟ ଦଳଠୁ ସମଦୂରତା ବଜାୟ ରଖିଥିବା ଦୋହରାଇଛି ବିଜେଡି । ପରୀ ମୃତ୍ୟୁ ଘଟଣା ଏବେ ରାଜ୍ୟରେ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି । ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗରେ କିଏ କେତେ ରାଜନୈତିକ ଫାଇଦା ନେବ, ସେଥିପାଇଁ ଗଣମାଧ୍ୟମରେ ଚାଲିଛି ବାକ୍‌ଯୁଦ୍ଧ  ।

Latest Posts

Don't Miss